୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

Jul 29, 2026 - 21:01
୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଗଞ୍ଜେଇ ଚୋରାଚାଲାଣ କରିଥିବା ଅଭିଯୋଗରେ ଦାରିଙ୍ଗବାଡି ଥାନା ଅଞ୍ଚଳରୁ ୨ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି ।  ଗିରଫ ବ୍ୟକ୍ତି ହେଲେ ଉକ୍ତ ଥାନା ଶ୍ରାନିକେତା ଦଣ୍ଡିମା ଗ୍ରାମର ବିଦ୍ୟାଧର ନାୟକ ଏବଂ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ଗ୍ରାମର ଶ୍ରୀକାନ୍ତ ପ୍ରଧାନ । ଏନେଇ ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ମୁମ୍ବାଇର କଲ୍ୟାଣ ରେଲୱେ ପୋଲିସ ଷ୍ଟେସନ ଅଞ୍ଚଳରେ ଗତ କିଛି ଦିନତଳେ ପୋଲିସ ୨୧ କେଜି ଗଞ୍ଜେଇ ଜବତ କରିଥିଲା । ଏଥିରେ ସମ୍ପୃକ୍ତି ଅଭିଯୁକ୍ତଙ୍କୁ ପଚରା ଉଚରା କରିବା ସମୟରେ ସେଠାକାର ପୋଲିସକୁ କନ୍ଧମାଳ ଜିଲାର ଦାରିଙ୍ଗବାଡି ଅଞ୍ଚଳର ୨ ଜଣ ଏହି ଗଞ୍ଜେଇ ଯୋଗେଇଥିବା ଜାଣିବାକୁ ପାଇଥିଲେ । ଏନେଇ କଲ୍ୟାଣ ରେଲୱେ ପୋଲିସ ଷ୍ଟେସନର ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ପି. କେ ୱାନିକଙ୍କ ନେତୃତ୍ୱରେ ଏକ ଟିମ ଦାରିଙ୍ଗବାଡି ଅଞ୍ଚଳରେ ପହଞ୍ଚି ଦାରିଙ୍ଗବାଡି ପୋଲିସର ସହାୟତାରେ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ ।

୨ ଅଭିଯୁକ୍ତଙ୍କୁ ଦାରିଙ୍ଗବାଡି ପ୍ରଥମଶ୍ରେଣୀ ବିଚାରବିଭାଗରେ ହାଜର କରାଇ ସେଠାରୁ ରିମାଣ୍ଡରେ ମୁମ୍ବାଇ ପୋଲିସ ୨ ଜଣଙ୍କୁ ମୁମ୍ବାଇ ନେଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି । ମୁମ୍ବାଇରେ ଏନେଇ କେଶ ନଂ (୬୮୨/୨୬) ରେ ମାମଲା ରୁଜୁ ହୋଇଥିବା ମୁମ୍ବାଇ ପୋଲିସ କହିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।