୨୪ରୁ ସିବିଏସ୍ଇ ଇଷ୍ଟ ଜୋନ୍ ତୀରନ୍ଦାଜ ପ୍ରତିଯୋଗିତା: ଭାଗ ନେବେ ୧୧ ରାଜ୍ୟର ପ୍ରତିଯୋଗୀ
ଭବାନୀପାଟଣା,୨୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭବାନୀପାଟଣା ବିକାଶ ଆବାସିକ ବିଦ୍ୟାଳୟରେ ଆସନ୍ତା ୨୪ ଜୁଲାଇରୁ ସିବିଏସ୍ଇ ଫାର୍ ଇଷ୍ଟ ଜୋନ୍ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ନେଇ ସୋମବାର ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଆସନ୍ତା ୨୪ ଜୁଲାଇରୁ ୨୬ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା
ଆୟୋଜିତ ହେବାକୁ ଥିଲେ ଏଥିରେ ୧୧ଟି ରାଜ୍ୟର ସିବିଏସ୍ଇ ଅନୁବନ୍ଧିତ ବିଦ୍ୟାଳୟରୁ ୨୫୦ରୁ ଅଧିକ ପ୍ରତିଭାବାନ ବାଳକ ଓ ବାଳିକା ଅଂଶଗ୍ରହଣ କରିବେ।
ଏହି ପ୍ରତିଯୋଗିତାଟି ଅଣ୍ଡର-୧୪, ଅଣ୍ଡର-୧୭ ଓ ଅଣ୍ଡର-୧୯ ବର୍ଗରେ ଅନୁଷ୍ଠିତ ହେବ। ବିକାଶ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା କଳାହାଣ୍ଡି ଜିଲାରେ ପ୍ରଥମ ଥର ହେଉଥିବାବେଳେ ଏହା ସମଗ୍ର ଜିଲା ପାଇଁ ଗୌରବର ବିଷୟ ରହିଛି। ସେହିପରି ଏହି ପ୍ରତିଯୋଗିତା କେବଳ କ୍ରୀଡ଼ା ପ୍ରତିଭାର ପ୍ରଦର୍ଶନ ନୁହେଁ, ବରଂ ଶୃଙ୍ଖଳା, ଏକାଗ୍ରତା, ର୍ଧଯ୍ୟ, କ୍ରୀଡ଼ାସୁଲଭ ମନୋଭାବ ଓ ଭାଇଚାରାର ଏକ ଅନନ୍ୟ ମିଳନ ଉତ୍ସବ ହେବ। ସମଗ୍ର ପ୍ରତିଯୋଗିତା ସିବିଏସଇ ଦାରା ନିର୍ଦ୍ଧାରିତ ସମସ୍ତ ନିୟମାବଳୀ ଓ ମାର୍ଗଦର୍ଶିକା ଅନୁସାରେ ସୂଚାରୁ ରୂପେ ପରିଚାଳିତ ହେବ। ଖେଳାଳିମାନଙ୍କ ସୁରକ୍ଷା, ସୁବିଧା ଓ ସଚ୍ଛ ପ୍ରତିଯୋଗିତା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ପ୍ରତିଯୋଗିତାରେ ସୁପରିଚାଳନା ପାଇଁ ଓଡ଼ିଶା ଆର୍ଚେରୀ ଆସୋସିଏଶନ ୮ ଜଣ ଅଭିଜ୍ଞ ଅଧିକାରୀ ଓ ୧୦ ଜଣ ସ୍ବେଚ୍ଛାସେବକ ସହଯୋଗ ପ୍ରଦାନ କରିବେ।
ଏହି ଜାତୀୟ ସ୍ତରର ଜୋନାଲ ପ୍ରତିଯୋଗିତା ମାଧ୍ୟମରେ ଯୁବ ତୀରନ୍ଦାଜମାନେ ନିଜ ପ୍ରତିଭାର ବିକାଶ ସହିତ ଭବିଷ୍ୟତରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବାର ପ୍ରେରଣା ଲାଭ କରିବେ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଖବରଦାତା ସମ୍ମିଳନୀରେ ଅନୁଷ୍ଠାନର ଚେୟାରମେନ ଡି.ନାଗେଶ୍ୱର ରାଓ, ନିର୍ଦ୍ଦେଶକ ଡି ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି.ରାମ, ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା, ଅଧ୍ୟକ୍ଷ ତଥା ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ୍ ଦତ୍ତ, ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।