ହ୍ରାସ ପାଉଛି ଜମିର ଉର୍ବରତା: ଜୈବିକ ପଦ୍ଧତିରେ ଚାଷ କରିବାକୁ ଆହ୍ବାନ
ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ବ୍ଲକସ୍ତରୀୟ କୃଷକ ସମାବେଶ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ସୀତାଂଶୁ କୁମାର ମଲିକଙ୍କ ପୌରାହିତରେ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଜୈବିକ ପଦ୍ଧତିରେ କୃଷକ ତାର ଜମିରେ ଫସଲ ଫୁଟାଉଥିଲା। ପର୍ଯ୍ୟାୟକ୍ରମେ ଅଧିକ ଅମଳ କରିବା ଲକ୍ଷରେ ରାସାୟନିକ ଓ କୀଟନାଶକ ପ୍ରୟୋଗ ଆରମ୍ଭ କରାଯାଇଥିଲା। ଏହା ବ୍ୟାପକ ବ୍ୟବହାର ଯୋଗୁ ଚାଷଜମିରେ ଉର୍ବରତା ହ୍ରାସ ପାଇବା ସହ ଜମି ନଷ୍ଟ ହେବାରେ ଲାଗିଲା।
ସେହିପରି ରାସାୟନିକ ଅଧିକ ବ୍ୟବହାର କାରଣରୁ ମାନବଜାତିଙ୍କୁ ମଧ୍ୟ ସ୍ବାସ୍ଥ୍ୟହାନି ପରିବେଶ ନଷ୍ଟ ଭଳି ବଡ଼ କ୍ଷତି ପହଞ୍ଚାଇବାରେ ଲାଗିଲା। ଏହାକୁ ପରିବର୍ତ୍ତନ କରିବା ସମୟ ଆସିଯାଇଛି ବୋଲି ବ୍ଲକ କୃଷି ଅଧିକାରୀ ସୀତାଂଶୁ ମଲିକ ଉପସ୍ଥିତ କୃଷକ ଭଉଣୀଭାଇଙ୍କୁ ଅବଗତ କରାଇଥିଲେ। ସରକାରଙ୍କ ପକ୍ଷରୁ ଏବେ ବଳଭଦ୍ର ଜୈବିକ ଚାଷ ମିଶନରେ ପ୍ରଥମଥର ପାଇଁ ଉକ୍ତ ବ୍ଲକ ସାମିଲ କରାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪ ହଜାର ୩ ଶହ ୫୨ ହେକ୍ଟର ଜମିରେ ଏହି ଜୈବିକ ସାର ବ୍ୟବହାର କରାଯାଇ ଚାଷୀ ତାର ମନମୁତାବକ ବିହନ ବ୍ୟବହାର କରି ପନିପରିବା, କ୍ଷୁଦ୍ରଦାନା, ଧାନ, ମକା, ତିଳା, ସୋରିଷ ଆଦି ଚାଷ କରିପାରିବେ ଏଥିରେ ଜୈବିକ ସାର ନିମାସ୍ତର, ବ୍ରହ୍ମସ୍ତ୍ର, ଜୀବମୃତ, ବିଜା ମୃତ, ହାଣ୍ଡି ଖତ ବ୍ୟବହାରକୁ ଗୁରୁତ୍ୱ ଦିଆଯିବ। ଏଥିପାଇଁ ସମସ୍ତ ପଞ୍ଚାୟତରେ ତାଲିମ ପ୍ରଦାନ କରାଯାଉଥିବା ଓ ଏହି ତାଲିମ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ କୃଷକ ସାମିଲ ହେବାକୁ ଆହ୍ବାନ ଦିଆଯାଇଥିଲା। ଜୈବିକ ଚାଷ ଦ୍ୱାରା ଅମଳ ହେବାକୁ ଥିବା ଫସଲକୁ ବଜାରରେ ଚଢ଼ାଦରରେ ବିକ୍ରି ବଟା ହେବା ସହ ମୃତ୍ତିକାର ସ୍ବାସ୍ଥ୍ୟ ଭଲ ରହିବା ଏବଂ ଜୈବିକ ଚାଷରୁ ଅମଳ ହେଉଥିବା ଖାଦ୍ୟ ଶସ୍ୟ ଖାଇବା ଦ୍ୱାରା ଲୋକଙ୍କୁ ଯେକୌଣସି ରୋଗ ତଥା କ୍ୟାନ୍ସର ରୋଗ ଭଳି ଭୟଙ୍କର ରୋଗ ହେବା ଆଶଙ୍କା କମିବ ବୋଲି ସରକାର ଏଭଳି ବଡ଼ ପଦକ୍ଷେପ ନେଉଥିବା କୃଷି ଅଧିକାରୀ କହିଛନ୍ତି।
ସେହିପରି ଏହି କର୍ମଶାଳାରେ ବ୍ଲକ ପ୍ରାଣୀଧନ ବିଭାଗ, ବ୍ଲକ ମତ୍ସ୍ୟ ବିଭାଗ, ଉଦ୍ୟାନ କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଯୋଗଦେଇ ଗୋପାଳନ, ମାଛ ଚାଷ, ଉଦ୍ୟାନ କୃଷି, କଫି, ଗୋଲମରିଚ ଚାଷ ସମ୍ପର୍କରେ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀ ଧନ ଚିକିତ୍ସା ବିଭାଗର ଜଗନ୍ନାଥ ଘଡ଼ାଇ, ସହକାରୀ ମତ୍ସ୍ୟ ଅଧିକାରୀ ଅରୁଣ କୁମାର ଦିଶାରୀ, ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ସହକାରୀ କୃଷି ଅଧିକାରୀ ଅସେଲେସା ରଥ ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।