ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

Jun 25, 2026 - 00:02
ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ, ସାହିତ୍ୟ, ଗଣିତ, ଇଂଲିଶ, ଭୂଗୋଳ ଆଦି ବିଭିନ୍ନ ବହିରେ ୨ହଜାରରୁ ଅଧିକ ଭୁଲ୍‌ ବାହାରିଥିବାବେଳେ ପରବର୍ତ୍ତୀ ସମୟରେ ପ୍ରସ୍ତୁତ ସଂଶୋଧିତ ବହିରେ ମଧ୍ୟ ବ୍ୟାପକ ଭୁଲ୍‌ ବାହାରୁଛି। ପ୍ରତିଦିନ ନୂଆ ନୂଆ ତ୍ରୁଟି ନଜରକୁ ଆସୁଥିବାବେଳେ ଏହାକୁ ନେଇ ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗ ଜାତୀୟସ୍ତରରେ ସମାଲୋଚନାର ସମ୍ମୁଖୀନ ହୋଇଛି। ଏବେ ପଞ୍ଚମ ଶ୍ରେଣୀ ଇଂଲିଶ ବହିରେ ଓଡ଼ିଆ ଭାଷାରେ ରଜ ଗୀତ ଉଲ୍ଲେଖ ରହିଥିବା ଜଣାପଡିଛି। ଏହାକୁ ନେଇ ବୁଧବାର ଦିନସାରା ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

ଜଣେ ଶିକ୍ଷୟିତ୍ରୀ ଏହାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଇଂଲିଶ ବହି ପଢ଼ାଇଲା ବେଳେ ଓଡ଼ିଆ ଭାଷାରେ ରଜଦୋଳି ଗୀତ ରହିଥିବା ଦେଖିଥିଲେ। ଇଂଲିଶ ପୁସ୍ତକ ‘ପଲ୍ଲଭୀ’ ର ମଧ୍ୟ ଭାଗରେ ଓଡ଼ିଆ ଭାଷାରେ ରଜଦୋଳି ଗୀତ ଲେଖା ରହିଛି। ଇଂଲିଶରେ ଲେଖାଯାଇଥିବା ଏନ୍‌ସିଇଆର୍‌ଟି ପୁସ୍ତକକୁ ଏଆଇ ଉପଯୋଗ କରି ଓଡ଼ିଆରେ ଅନୁବାଦ କରାଯାଇଥିବାରୁ ମାଳମାଳ ବନାନ ଓ ବାକ୍ୟ ଭୁଲ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଇଂଲିଶ ବହିରେ ଓଡ଼ିଆ କିପରି ରହିଲା ବୋଲି ଏବେ ପ୍ରଶ୍ନ ଉଠୁଛି। ଏପରିକି ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସ୍ତୁତି କରିଥିବା ସମସ୍ତ ବରିଷ୍ଠ ଓ ଅଭିଜ୍ଞ ଶିକ୍ଷାବିତ୍‌ ଏବଂ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସେମାନଠାରୁ ମୁଦ୍ରଣ ବାବଦ ଖର୍ଚ୍ଚ ଅର୍ଥ ଭରଣା କରିବାକୁ ଦାବି ହେଉଛି।