ହୋଟେଲ୍ରେ ଚଢ଼ାଉ: ୧୧.୧୬୫ କିଲୋଗ୍ରାମ ଚନ୍ଦନକାଠ ଜବତ, ଜଣେ ଗିରଫ
କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ପକ୍ଷରୁ ଶନିବାର ଦିନ ଏକ ବଡ଼ଧରଣର ଚଢ଼ାଉ କରାଯାଇ ଧଳା ଚନ୍ଦନ କାଠ ଚୋରା ଚାଲାଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ଏନେଇ ମାମଲା ରୁଜୁ କରାଯାଇଛି।
ବନ ବିଭାଗର ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତିଜଣକ ହେଲେ କେନ୍ଦ୍ରାପଡ଼ା ଜିଲା କେନ୍ଦ୍ରାପଡ଼ା ଥାନା ଅନ୍ତର୍ଗତ ମଧୁକରେପୁର ଗ୍ରାମର ସୟଦ ଫିରୋଜ ଅଲି। ବନ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗତକାଲି କେନ୍ଦୁଝର ସହରର କରଞ୍ଜିଆ ବସ୍ଷ୍ଟାଣ୍ଡ ନିକଟସ୍ଥ ପାପାଲି ହୋଟେଲ୍ରେ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ମୋଟ ୧୧.୧୬୫ କିଲୋଗ୍ରାମ ଓଜନର ଧଳା ଚନ୍ଦନ କାଠ ଜବତ କରାଯାଇଛି, ଯାହାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଏହି ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ OR Case No. 13K/2026-27 ରେ ଏକ ମାମଲା ରୁଜୁ କରାଯାଇଛି। ବେଆଇନ୍ ଭାବେ ଚନ୍ଦନ କାଠ ନିଜ ପାଖରେ ରଖିବା ଏବଂ ପରିବହନ ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ପଠାଯାଇଛି। ତେବେ ଏହି ଚୋରା ଚାଲାଣ କାରବାରରେ ଅନ୍ୟ କାହାରି ସମ୍ପୃକ୍ତି ଅଛି କି ନାହିଁ, ସେନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତଙ୍କର ମୟୂରଭଞ୍ଜ ଜିଲା ଚଢ଼େଇଭୁଡ଼ ଅଞ୍ଚଳରେ ଲିଙ୍କ୍ ଥିବା ନେଇ ବନ ବିଭାଗ ସନ୍ଦେହ କରୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।