ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

Jul 25, 2026 - 19:59
ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି ଗ୍ରାମର ଅନନ୍ତ ବାରିକଙ୍କ ଘରେ ଏକ ପାଣି ଗରା ଭତରେ ସ୍ୱୟଂ ଜଗନ୍ନାଥଙ୍କ ଆବିର୍ଭାବ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଅନନ୍ତ ବାରିକଙ୍କ ଧର୍ମପତ୍ନୀ ଲିଜା ବାରିକ କହିଛନ୍ତି ଯେ ପ୍ରତିଦିନ ପରି ସେ କୂଅରୁ ପାଣି ଆଣି ଗରାରେ ଭର୍ତ୍ତି କରିଥିଲେ। ବାହୁଡ଼ା ଦିନ ପୁଣି ପାଣି ଆଣି ଗରା ଭର୍ତ୍ତି କରୁଥିବା ସମୟରେ ତାଙ୍କର ନଜର ଗରା ଭତରକୁ ପଡ଼ିଥିଲା ଏବଂ ସେଠାରେ ବଡ଼ ଠାକୁରଙ୍କ ଦୁଇଟି ଚକାଆଖି ସ୍ପଷ୍ଟ ଭାବେ ରହିଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତୁରନ୍ତ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଡାକି ଏହା ଦେଖାଇଥିଲେ ଏବଂ ସମସ୍ତେ ଏହା ମହାପ୍ରଭୁ ଜଗନ୍ନାଥଙ୍କ ଆକୃତି ବୋଲି ମତ ଦେଇଥିଲେ।

ଏହି ଅଲୌକିକ ଘଟଣା ସମ୍ପର୍କରେ ଖବର ପାଇ ମାଲୁଦ ଦଧିବାମନ ଦେବଙ୍କ ମୁଖ୍ୟ ପୂଜକ ଚନ୍ଦ୍ରଶେଖର ପଣ୍ଡା ସେଠାରେ ପହଞ୍ଚିଥିଲେ। ସେ ଗରାରେ ଲାଗିଥିବା ମଇଳା ଚିହ୍ନକୁ ସର୍ଫ ଲଗାଇ ସଫା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ସଫା କରି ଦେଖିବା ବେଳକୁ ପୁନର୍ବାର ସେହିଭଳି ଠାକୁରଙ୍କ ଚିହ୍ନ ଦୃଶ୍ୟମାନ ହୋଇଥିଲା।

ଏହି ଚମତ୍କାର ଘଟଣା ପ୍ରଚାରିତ ହେବା ପରେ ଗ୍ରାମରେ ପ୍ରବଳ ଭିଡ଼ ଜମିଛି। ପାଣି ଗରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ଏହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜାରି ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।