ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନାଗରିକତ୍ୱ ନ୍ୟାୟସଙ୍ଗତ ପ୍ରକ୍ରିୟାରେ ନିର୍ଦ୍ଧାରଣ ହେଉ
ନୂଆଦିଲ୍ଲୀ,୧୪ା୭: ଗୁଆହାଟୀ ହାଇକୋର୍ଟ ପୂର୍ବରୁ ଫରେନର୍ସ ଟ୍ରିବ୍ୟୁନାଲ ଦେଇଥିବା ରାୟକୁ କାଏମ୍ ରଖି ୨୭ ଜଣଙ୍କୁ ବିଦେଶୀ ଘୋଷଣା କରିଥିବାବେଳେ ସୁପ୍ରିମକୋର୍ଟ ସୋମବାର ଏହାକୁ ଖାରଜ କରିଦେଇଛନ୍ତି। ନାଗରିକତ୍ୱ ପ୍ରଶ୍ନର ସମାଧାନ ନିରପେକ୍ଷ, ଆଇନସମ୍ମତ ଓ ଯୁକ୍ତିଯୁକ୍ତ ପ୍ରକ୍ରିୟାରେ ହେବା ଜରୁରୀ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସମସ୍ତ ୨୭ଟି ମାମଲା ସାମ୍ବିଧାନିକ ଓ ନ୍ୟାୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେଗୁଡ଼ିକର ପୁନର୍ବିଚାର ପାଇଁ ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ ସେଗୁଡ଼ିକୁ ସମ୍ପୃକ୍ତ ଫରେନର୍ସ ଟ୍ରିବ୍ୟୁନାଲକୁ ଫେରାଇ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ନାଗରିକତ୍ୱ ଓ ବିଦେଶୀ ମାନ୍ୟତା ସମ୍ବିଧାନ ଓ ଆଇନଗତ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଜଣେ ବ୍ୟକ୍ତିଙ୍କ ନାଗରିକତ୍ୱ ନିର୍ଦ୍ଧାରଣ ନିରପେକ୍ଷ, ଆଇନସମ୍ମତ ଓ ଯୁକ୍ତିଯୁକ୍ତ ପ୍ରକ୍ରିୟାରେ ହେବା ଆବଶ୍ୟକ। ପୂର୍ବରୁ କୌଣସି ବିଦେଶୀ ଟ୍ରିବ୍ୟୁନାଲ କିମ୍ବା ଗୁଆହାଟୀ ହାଇକୋର୍ଟ ଦେଇଥିବା ରାୟରେ ପ୍ରଭାବିତ ନ ହୋଇ ନିରପେକ୍ଷ ଭାବେ ଉକ୍ତ ମାମଲାଗୁଡ଼ିକର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲକୁ କହିଛନ୍ତି।
ଟ୍ରିବ୍ୟୁନାଲ ଆବେଦନକାରୀମାନଙ୍କୁ ବିଦେଶୀ ଘୋଷଣା କରିଥିବାବେଳେ ଗୁଆହାଟୀ ହାଇକୋର୍ଟ ଟ୍ରିବ୍ୟୁନାଲର ରାୟଗୁଡ଼ିକୁ କାଏମ୍ ରଖିଥିଲେ। ତେବେ ବିପକ୍ଷଙ୍କ ଅନୁପସ୍ଥିତିରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ଅନେକ ପିଟିଶନ ଦାଏର ହୋଇଥିଲା। ତେବେ ଟ୍ରିବ୍ୟୁନାଲଙ୍କ ମତାମତକୁ ପାଖାପାଖି ୨୩ ବର୍ଷ ପରେ ଚ୍ୟାଲେଞ୍ଜ କରାଯାଇଥିବା ଦର୍ଶାଇ ହାଇକୋର୍ଟ ଉକ୍ତ ପିଟିଶନଗୁଡ଼ିକୁ ପୂର୍ବରୁ ଖାରଜ କରିଦେଇଥିଲେ। ନୋଟିସ ପଠାଯିବା ସତ୍ତ୍ୱେ ଆବେଦନକାରୀମାନେ ଟ୍ରିବ୍ୟୁନାଲ ନିକଟରେ ହାଜର ହୋଇ ନ ଥିଲେ ବୋଲି ହାଇକୋର୍ଟ ଦର୍ଶାଇଥିଲେ। ହାଇକୋର୍ଟ ଟ୍ରିବ୍ୟୁନାଲଙ୍କ ରାୟକୁ କାଏମ ରଖିବା ସହ ବିଦେଶୀ ଆଇନ, ୧୯୪୬ର ଧାରା ୯ ଉପରେ ଭରସା କରିଥିଲେ, ଯେଉଁଠି ସରକାରଙ୍କ ପରିବର୍ତ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭାରତୀୟ ନାଗରିକତ୍ୱର ପ୍ରମାଣ ଦେବାକୁ ପଡ଼ିଥାଏ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।