ସୁନାବେଶରେ ଝଲସିଲେ ମହାପ୍ରଭୁ, ଭାବବିହ୍ବଳ ହେଲେ ଭକ୍ତ
ଛତ୍ରପୁର, ୨୫ା୭ (ଦିଲ୍ଲୀପ ସାମଲ): ପବିତ୍ର ସୁନାବେଶର ଦିବ୍ୟ ରୂପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଝଲସିଛନ୍ତି। ଛତ୍ରପୁର ତାଡେପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଉପରେ ଶନିବାର ସାରେ ମହଣ ମହଣ ସୁନା ଓ ରୂପା ଅଳଙ୍କାରରେ ସୁସଜ୍ଜିତ ହୋଇ ହଜାର ହଜାର ସଂଖ୍ୟାରେ ଆସିଥିବା ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ ପାଇ ଭକ୍ତ ଭାବବିହ୍ବଳ ହୋଇପଡିଥିଲେ।
ପ୍ରତ୍ୟେକ ବର୍ଷ ଆଷାଢ଼ ଶୁକ୍ଳପକ୍ଷ ପବିତ୍ର ବଡ଼ଏକାଦଶୀରେ ଶ୍ରୀଜୀଉମାନେ ସୁନାବେଶ ଧାରଣ କରିଥାନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ସୁନା ବେଶରେ ସୁନା କିରୀଟ, ହାତରେ ସୁନା ହଳ ମୂଷଳ, ଶ୍ରୀଭୁଜ, କମରପଟି, ଶ୍ରୀକୁଣ୍ଡଳ, ମାଳ, ଓଡ଼ିଆଣୀ ଆଦି ଆଭୂଷଣ ଧାରଣ କରି ଶ୍ରୀବଳଭଦ୍ର ଦର୍ଶନ ଦେଇଥିଲେ।
ସେହିପରି ଦେବୀ ମା’ସୁଭଦ୍ରା ସୁନା କିରୀଟ, କାନ ଚନ୍ଦ୍ରସୂର୍ଯ୍ୟ, ଘାଗ ମାଳି, କଦମ୍ବ ମାଳି, ତଗ ଓ ସେବତୀ ମାଳି ଭଳି ଆଭୁଷଣ ପରିଧାନ କରିଥିଲେ। କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ, ଆ ହରି ମାଳି, ଘାଗ ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା ଆଦି ଆଭୂଷଣ ପରିଧାନ କରି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।
ସହରରେ ଥିବା ଅନ୍ୟ ପ୍ରମୁଖ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଉପରେ ସୁନା ବେଶରେ ସଜ୍ଜିତ ହୋଇ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।