ସିଏମ୍‌ଓରୁ ଫାଇଲ ଚୋରି ଘଟଣା: ବିଦେଶରେ ଥିବାରୁ ଥାନାରେ ହାଜର ହେଲେନି ପାଣ୍ଡିଆନ

Jul 26, 2026 - 08:10
ସିଏମ୍‌ଓରୁ ଫାଇଲ ଚୋରି ଘଟଣା: ବିଦେଶରେ ଥିବାରୁ ଥାନାରେ ହାଜର ହେଲେନି ପାଣ୍ଡିଆନ

ଭୁବନେଶ୍ୱର,୨୬ା୭(ତ୍ରିନାଥ ମହାନ୍ତି): ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର କମିଶନ ଫାଇଲ୍‌ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଯିବା ଘଟଣାରେ ତତ୍କାଳୀନ ୫- ଟି ସଚିବ ଭୈରବ କାର୍ତ୍ତିକ ପାଣ୍ଡିଆନ ଶନିବାର କ୍ୟାପିଟାଲ ଥାନାରେ ହାଜର ହୋଇନାହାନ୍ତି। ସେ ବିଦେଶରେ ଥିବା ହେତୁ ହାଜର ହୋଇପାରି ନାହାନ୍ତି। ଏନେଇ ସେ କମିଶନରେଟ୍‌ ପୋଲିସକୁ ଇମେଲ ଯୋଗେ ସୂଚନା ଦେଇଛନ୍ତି। ଯଦି ସମ୍ଭବ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୟାନ ନେବାକୁ ମଧ୍ୟ ନିବେଦନ କରିଛନ୍ତି ପାଣ୍ଡିଆନ। ଯଦି ଏହା ସମ୍ଭବ ନ ହୁଏ, ତେବେ ସେ ବିଦେଶରୁ ଫେରିବା ପରେ ହାଜର ହେବେ ବୋଲି ପାଣ୍ଡିଆନ ସୂଚନା ଦେଇଛନ୍ତି। ଆସନ୍ତା ଅଗଷ୍ଟ ୧୨ରୁ ୧୫ ଭିତରେ ସେ ବିଦେଶରୁ ଫେରିବା ପରେ ହାଜର ହେବେ ବୋଲି ମେଲ୍‌ରେ ଜଣାଇଛନ୍ତି। ଏନେଇ ଡିସିପି ଜଗମୋହନ ମୀନା କହିଛନ୍ତି, ପାଣ୍ଡିଆନଙ୍କୁ ଶନିବାର ହାଜର ହେବା ପାଇଁ କ୍ୟାପିଟାଲ ଥାନା ପୋଲିସ ନୋଟିସ କରିଥିଲା। କିନ୍ତୁ ସେ ବିଦେଶରେ ଥିବାରୁ ହାଜର ହେବାକୁ ମନା କରି ଦେଇଛନ୍ତି। ସେ ଅଗଷ୍ଟ ମାସରେ ହାଜର ହେବେ ବୋଲି ଜଣାଇଛନ୍ତି। ତଦନ୍ତରେ ଯଦି ସେଭଳି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକ ପଡ଼େ ତେବେ ତାଙ୍କୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପଚରାଉଚରା କରାଯିବ ବୋଲି ମୀନା କହିଛନ୍ତି।

ଫାଇଲ ହଜିଯିବା ଘଟଣା ମାମଲାରେ ପାଣ୍ଡିଆନଙ୍କ ସହ ପୂର୍ୱତନ ଆଇଏଏସ ଅଫିସର ଉପେନ୍ଦ୍ରନାଥ ବେହେରା, ରାଜେଶ ବର୍ମାଙ୍କୁ ବି ହାଜର ପାଇଁ ପୋଲିସ ନୋଟିସ କରିଥିଲା। ରବିବାର ପୂର୍ୱାହ୍ନ ୧୧ଟା ବେଳେ ଉପେନ୍ଦ୍ରନାଥ ବେହେରା ଓ ଆସନ୍ତା ୩୦ ତାରିଖ ୧୧ଟା ବେଳେ ଦ୍ୱିତୀୟ ଥର ପାଇଁ ରାଜେଶ ବର୍ମାଙ୍କୁ ହାଜର ପାଇଁ ନୋଟିସରେ କୁହାଯାଇଛି। ପୂର୍ୱରୁ ଏହି ମାମଲାରେ ବିଜେଡି ସରକାରର ପ୍ରଭାବଶାଳୀ ଅଫିସର ତଥା ପୂର୍ୱତନ ଆଇଟି ସଚିବ ମନୋଜ କୁମାର ମିଶ୍ର ଓ ପୂର୍ୱତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ଜୁଲାଇ ୨୨ ତାରିଖ ପୂର୍ୱାହ୍ନ୧୧ଟା ବେଳେ କ୍ୟାପିଟାଲ ଥାନାରେ ହାଜର ହେବା ପାଇଁ ତଦନ୍ତ ଅଧିକାରୀ ସମନ ଜାରି କରିଥିଲେ। ତେବେ ଗତ ୧୮ ତାରିଖରେ ମନୋଜ କ୍ୟାପିଟାଲ ଥାନାରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। କିନ୍ତୁ ଧାର୍ଯ୍ୟ ସମୟ ସୁଦ୍ଧା ପୂର୍ୱତନ ଆଇଏଏସ ଅଫିସର ରାଜେଶ ବର୍ମା କ୍ୟାପିଟାଲ ଥାନାରେ ହାଜର ହୋଇ ନ ଥିବାରୁ ତାଙ୍କୁ ପୁଣି ନୋଟିସ ଜାରି କରାଯାଇଛି। ୨୦୦୮ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ଜଷ୍ଟିସ ନାଇଡୁ କମିଶନ ରିପୋର୍ଟ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡର ଆର୍‌ଡିସି ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାଏବ ହୋଇଥିବା ନେଇ ଗୃହ ବିଭାଗ ପକ୍ଷରୁ ଗତ ଜୁନ ମାସରେ ପୋଲିସରେ ଏଫ୍‌ଆଇଆର ଦିଆଯାଇଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।