ସାନ ଭାଇ, ବାପାଙ୍କୁ କଟୁରିରେ ହାଣିଲେ ବଡ଼ ଭାଇ: ଜମିଜମା ବିବାଦରୁ ଘଟିଲା ରକ୍ତାକ୍ତ…

Jun 28, 2026 - 15:11
ସାନ ଭାଇ, ବାପାଙ୍କୁ କଟୁରିରେ ହାଣିଲେ ବଡ଼ ଭାଇ: ଜମିଜମା ବିବାଦରୁ ଘଟିଲା ରକ୍ତାକ୍ତ…

ଉଦଳା: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିରାଥଳି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ଜମି ବଣ୍ଟନକୁ ନେଇ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ରବିବାର ହିଂସାତ୍ମକ ରୂପ ନେଇଥିଲା। ବଚସା ଉଗ୍ର ହେବା ପରେ ବଡ଼ ଭାଇ ଏକ ଧାରୁଆ କଟୁରିରେ ନିଜ ସାନ ଭାଇ ଓ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଘର ଭିତରେ ଜମିଜମାକୁ ନେଇ କଥା କଟାକଟି ହେଉଥିବା ବେଳେ ହଠାତ୍ ବଡ଼ ଭାଇ ଉତ୍ତ୍ୟକ୍ତ ହୋଇ କଟୁରିରେ ସାନ ଭାଇ ଓ ବାପାଙ୍କ ଉପରେ ଚଢ଼ାଉ କରିଥିଲେ। ଆକ୍ରମଣରେ ଉଭୟଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଚିତ୍କାର ଶୁଣି ପରିବାର ଲୋକ ଓ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ।

ପ୍ରଥମେ ସେମାନଙ୍କୁ ଉଦଳା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ସେମାନଙ୍କୁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଉଭୟଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।

ଘଟଣାର ସୂଚନା ପାଇ ଖୁଣ୍ଟା ଥାନା ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣରେ ବ୍ୟବହୃତ କଟୁରିକୁ ପୋଲିସ ଜବତ କରିଥିବା ବେଳେ ଅଭିଯୁକ୍ତ ବଡ଼ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ଜମିଜମା ବିବାଦ ଯୋଗୁ ଏହି ଆକ୍ରମଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ଏହି ଘଟଣା ପରେ ଶିରାଥଳି ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପରିବାରିକ ଜମିଜମା ବିବାଦ ଏଭଳି ରକ୍ତାକ୍ତ ରୂପ ନେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Dharitri – Odisha’s No.1 Odia Daily