ସବୁଜ ବିକାଶର ଭିତ୍ତିଭୂମି
ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ ଫଳରେ ଶକ୍ତିର ଚାହିଦା ଦିନକୁଦିନ ବଢ଼ିଚାଲିଛି। ଅନ୍ୟପକ୍ଷରେ କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ପରି ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ସୀମିତ ଥିଲେ ମଧ୍ୟ ଏହାର ଅତ୍ୟଧିକ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି। ବର୍ତ୍ତମାନ ସମୟରେ ଶକ୍ତି ସଙ୍କଟ ଓ ପରିବେଶ ପ୍ରଦୂଷଣ ବିଶ୍ୱର ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଜୀବାଶ୍ମ ଇନ୍ଧନ ଆଧାରିତ ଶକ୍ତି କିମ୍ବା ବିଜୁଳିଶକ୍ତି ଆଉ ଅଧିକଦିନ ଆମର ଚାହିଦା ପୂରଣ କରିପାରିବ ନାହିଁ। ଏତଦ୍ବ୍ୟତୀତ ଏଗୁଡିକ ପରିବେଶ ପ୍ରଦୂଷଣ ଓ ବୈଶ୍ୱିକ ଉତ୍ତାପ ବୃଦ୍ଧିପାଇଁ ମଧ୍ୟ ଦାୟୀ, ଯାହାର ପ୍ରଭାବରେ ଜଳବାୟୁ ପରିବର୍ତ୍ତନ ଦେଖାଯାଉଛି l ଏଣୁ ଏକ ବିକଳ୍ପ ଶକ୍ତି ପାଇଁ ସମସ୍ତେ ଚିନ୍ତିତ ହେବା ସ୍ବାଭାବିକ । ଏହି ପରିସ୍ଥିତିରେ ସୌର ଗ୍ରାମ ଧାରଣା ଗ୍ରାମୀଣ ବିକାଶ ପାଇଁ ଏକ ଆଶାର କିରଣ ଭାବେ ଉଭା ହୋଇଛି। ଏହି ସୌରଶକ୍ତି ଏକ ବିକଳ୍ପ ନୁହେଁ ବରଂ ଏକ ଆବଶ୍ୟକତା ହୋଇପଡ଼ିଛି ଏବଂ ସୌର ଗ୍ରାମ ଧାରଣା ଏକ ନୂତନ ବିକାଶମୂଳକ ଆନ୍ଦୋଳନର ରୂପ ନେଇଛି। ସୌରଗ୍ରାମ ଅର୍ଥ ହେଉଛି ଏପରି ଏକ ଗ୍ରାମ, ଯେଉଁଠାରେ ଘରୋଇ ବ୍ୟବହାର, କୃଷି କାର୍ଯ୍ୟ, ରାସ୍ତା ଆଲୋକୀକରଣ, ଜଳଯୋଗାଣ, ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟକେନ୍ଦ୍ରର ଆବଶ୍ୟକତା ପୂରଣ ପାଇଁ ପ୍ରଧାନତଃ ସୌରଶକ୍ତିର ବ୍ୟବହାର କରାଯାଏ। ସୂର୍ଯ୍ୟରୁ ମିଳୁଥିବା ଏହି ଅକ୍ଷୟଶକ୍ତି ଗ୍ରାମୀଣ ଅଞ୍ଚଳକୁ ବିଦ୍ୟୁତ୍ କ୍ଷେତ୍ରରେ ସ୍ବାବଲମ୍ବୀ କରିବାରେ ସହାୟକ ହୋଇପାରେ।
ଭାରତ ପରି ଦେଶରେ ସୂର୍ଯ୍ୟକିରଣର ପ୍ରଚୁରତା ଥିବାରୁ ସୌରଶକ୍ତିର ବ୍ୟବହାର ଅତ୍ୟନ୍ତ ସମ୍ଭାବନାମୟ। ଗ୍ରାମାଞ୍ଚଳରେ ସୌରପ୍ୟାନେଲ ସ୍ଥାପନକରି ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ, ଯାହା ଲୋକଙ୍କର ଦୈନନ୍ଦିନ ଜୀବନକୁ ସହଜ ଓ ସୁବିଧାଜନକ କରିଥାଏ। ଚାଷୀମାନେ ସୌରଚାଳିତ ପମ୍ପ ମାଧ୍ୟମରେ କମ୍ ଖର୍ଚ୍ଚରେ ଜମିକୁ ଜଳସେଚନ କରିପାରିବେ। ସୌରଗ୍ରାମ କେବଳ ଶକ୍ତି ଯୋଗାଣରେ ସୀମିତ ନୁହେଁ; ଏହା ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିଥାଏ। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଦ୍ୱାରା କ୍ଷୁଦ୍ରଶିଳ୍ପ ଓ ବ୍ୟବସାୟର ବିକାଶ ହୁଏ। ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ମଧ୍ୟ ଏଥିରୁ ଉପକୃତ ହୁଅନ୍ତି।
ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସୌରଶକ୍ତିର ଭୂମିକା ଅପରିସୀମ। ଏହାଦ୍ୱାରା କୌଣସି କ୍ଷତିକାରକ ଗ୍ୟାସ୍ ବାୟୁମଣ୍ଡଳକୁ ନିର୍ଗତ ହୁଏନାହିଁ, ଫଳରେ ବାୟୁ ପ୍ରଦୂଷଣ ଓ ବିଶ୍ୱତାପନ ହ୍ରାସ ପାଏ। ଏହା ଏକ ପରିବେଶ ଅନୁକୂଳ ଓ ନବୀକରଣଯୋଗ୍ୟ ଶକ୍ତିଉତ୍ସ। ଭାରତ ଭୌଗୋଳିକ ଦୃଷ୍ଟିରୁ ସୌରଶକ୍ତି ଉତ୍ପାଦନ ପାଇଁ ଏକ ଅନୁକୂଳ ଦେଶ। ବର୍ଷର ଅଧିକାଂଶ ସମୟ ସୂର୍ଯ୍ୟକିରଣ ଉପଲବ୍ଧ ହେଉଥିବାରୁ ଗ୍ରାମାଞ୍ଚଳରେ ସୌର ପ୍ୟାନେଲ ସ୍ଥାପନକରି ସହଜରେ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ। ବିଶେଷକରି ଦୁର୍ଗମ ଅଞ୍ଚଳରେ, ଯେଉଁଠାରେ ବିଦ୍ୟୁତ୍ ସଂଯୋଗ ପହଞ୍ଚାଇବା କଷ୍ଟସାଧ୍ୟ, ସେଠାରେ ସୌରଶକ୍ତି ଏକ ବରଦାନ ସଦୃଶ।
କୃଷିକ୍ଷେତ୍ରରେ ସୌରଗ୍ରାମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଚାଷୀମାନେ ସୌରଚାଳିତ ଜଳସେଚନ ପମ୍ପ ବ୍ୟବହାର କରି ଡିଜେଲ ଖର୍ଚ୍ଚରୁ ମୁକ୍ତି ପାଇପାରିବେ। ଏହା ଉତ୍ପାଦନ ଖର୍ଚ୍ଚ କମାଇବା ସହିତ କୃଷିକୁ ଅଧିକ ଲାଭଜନକ କରିଥାଏ। ଏହାଛଡ଼ା ଫସଲ ସଂରକ୍ଷଣ, ଶୀତଳ ଭଣ୍ଡାରଣ ଓ କୃଷିଉତ୍ପାଦ ପ୍ରକ୍ରିୟାକରଣରେ ମଧ୍ୟ ସୌରଶକ୍ତିର ବ୍ୟବହାର କରାଯାଇପାରେ। ସୌରଗ୍ରାମ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିଥାଏ। ନିରନ୍ତର ବିଦ୍ୟୁତ୍ ଯୋଗାଣ ଥିବାରୁ କ୍ଷୁଦ୍ର ଓ କୁଟିରଶିଳ୍ପର ବିକାଶ ସମ୍ଭବ ହୁଏ। ଯୁବପିଢ଼ି ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟିହୁଏ। ଗ୍ରାମରେ ଉଦ୍ୟୋଗ ସ୍ଥାପନର ସମ୍ଭାବନା ବଢ଼େ ଏବଂ ସହରମୁଖୀ ବିସ୍ଥାପନ ହ୍ରାସପାଏ।
ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସୌରଗ୍ରାମ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ବିଦ୍ୟୁତ୍ ଅଭାବ ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଯେଉଁ ବାଧାସୃଷ୍ଟି ହୁଏ, ସୌରଶକ୍ତି ତାହାକୁ ଦୂର କରିପାରିବ। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଔଷଧ ସଂରକ୍ଷଣ, ଚିକିତ୍ସା ଉପକରଣ ପରିଚାଳନା ଓ ଜରୁରୀ ସେବା ଯୋଗାଣ ଅଧିକ ସୁଗମ ହୋଇପାରିବ।
ପରିବେଶ ସୁରକ୍ଷା ଦୃଷ୍ଟିରୁ ସୌରଗ୍ରାମର ଗୁରୁତ୍ୱ ଅନସ୍ବୀକାର୍ଯ୍ୟ। ସୌରଶକ୍ତି ବ୍ୟବହାର ଦ୍ୱାରା କାର୍ବନ ବା ଅଙ୍ଗାର ନିର୍ଗମନ କମିଥାଏ ଏବଂ ବାୟୁ ପ୍ରଦୂଷଣ ହ୍ରାସପାଏ। ଏହା ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଭଳି ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲାରେ ସହାୟକ ହୁଏ। ସବୁଜ ଓ ସ୍ବଚ୍ଛ ପରିବେଶ ଗଠନରେ ଏହାର ଅବଦାନ ଅତୁଳନୀୟ। ଭାରତ ଏବେ ମୋଟ ଶକ୍ତିର ୫୧ ପ୍ରତିଶତ ନବୀକରଣଯୋଗ୍ୟ ସୌର, ପବନ, ଜଳବିଦ୍ୟୁତ୍ ଓ ଜୈବଇନ୍ଧନ ମାଧ୍ୟମରେ ଉତ୍ପାଦନ କରୁଛି l ୨୦୩୦ ସୁଦ୍ଧା ଏହି ଶକ୍ତି ବାର୍ଷିକ ୫୦୦ ଗିଗାୱାଟ ହେବାର ଲକ୍ଷ୍ୟ ରହିଛି l
ତେବେ ସୌରଗ୍ରାମ ଗଠନରେ କିଛି ଅସୁବିଧା ମଧ୍ୟ ରହିଛି। ପ୍ରାରମ୍ଭିକ ବିନିଯୋଗ ଅଧିକ ହେବା, ରକ୍ଷଣାବେକ୍ଷଣ ଏବଂ ସଚେତନତାର ଅଭାବ ଯୋଗୁ କେତେକ ଏଥିପାଇଁ ଆଗ୍ରହୀ ହୋଇ ନ ପାରନ୍ତି। ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାରୀ, ବେସରକାରୀ ସଂସ୍ଥା ଓ ସାଧାରଣ ଲୋକଙ୍କର ସମନ୍ବିତ ପ୍ରୟାସ ଆବଶ୍ୟକ। ସରକାରୀ ସବ୍ସିଡି, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଜନସଚେତନତା ଅଭିଯାନ ଏହି କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ। ଏବେ ଯେତେବେଳେ ବିଶ୍ୱ ସ୍ଥାୟୀ ବିକାଶର ପଥ ଖୋଜୁଛି, ସେତେବେଳେ ସୌରଗ୍ରାମ ଏକ ପ୍ରଭାବଶାଳୀ ମଡେଲ ଭାବେ ଉଭାହୋଇଛି। ଏହା କେବଳ ବିଦ୍ୟୁତ୍ ଉତ୍ପାଦନର ଏକ ବ୍ୟବସ୍ଥା ନୁହେଁ ବରଂ ଆତ୍ମନିର୍ଭରତା, ପରିବେଶ ସୁରକ୍ଷା ଓ ସାମଗ୍ରିକ ଗ୍ରାମୀଣ ବିକାଶର ଏକ ସମନ୍ବିତ ଦୃଷ୍ଟିକୋଣ। ତେଣୁ ସମୟର ଆହ୍ବାନ ହେଉଛି ପ୍ରତ୍ୟେକ ଗ୍ରାମକୁ ଏକ ସୌରଗ୍ରାମରେ ପରିଣତ କରିବା; ଯାହା ମାଧ୍ୟମରେ ଏକ ସବୁଜ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନ ସମ୍ଭବ ହୋଇପାରିବ। ସୌରଗ୍ରାମ ଗଠନ ପାଇଁ ସରକାରୀ ସହାୟତା, ଜନସଚେତନତା ଓ ଯଥେଷ୍ଟ ବିନିଯୋଗ ଆବଶ୍ୟକ। ଯଦି ଏହି କ୍ଷେତ୍ରରେ ସମସ୍ତଙ୍କର ସହଯୋଗ ମିଳେ, ତେବେ ସୌରଗ୍ରାମ ଭାରତର ଗ୍ରାମୀଣ ବିକାଶକୁ ଏକ ନୂତନ ଦିଗ ଦେଇପାରିବ। ସୌରଗ୍ରାମ ହେଉଛି ଆତ୍ମନିର୍ଭରଶୀଳ, ସ୍ବଚ୍ଛ ଓ ସବୁଜ ଭବିଷ୍ୟତ ଗଠନର ଏକ ସଫଳ ପଦକ୍ଷେପ। ଏହାହିଁ ହେବ ସବୁଜ ବିକାଶର ଅସଲ ଭିତ୍ତିଭୂମି।
ବିଦ୍ୟାଧର ମହାରଣା
ମୋ:୯୪୩୭୦୭୧୧୯୦
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।