ନଦୀରେ ବୁଡ଼ିଗଲେ ନାବାଳିକା କାଉଡ଼ିଆ: ଶିବ ମନ୍ଦିରରେ ଜଳଲାଗି ପାଇଁ….

Jul 27, 2026 - 13:31
ନଦୀରେ ବୁଡ଼ିଗଲେ ନାବାଳିକା କାଉଡ଼ିଆ: ଶିବ ମନ୍ଦିରରେ ଜଳଲାଗି ପାଇଁ….

ବାଲେଶ୍ୱର, ୨୭ (ବାଞ୍ଛାନିଧି ଦେ): ଶ୍ରାବଣ ମାସର ପ୍ରଥମ ସୋମବାରରେ ଘଟିଛି ଏକ ଅଭାବନୀୟ ଘଟଣା। ଶିବ ମନ୍ଦିରରେ ଜଳଲାଗି ପାଇଁ ନଦୀରୁ ପାଣି ଆଣିବାକୁ ଯାଇଥିବା ଜଣେ ୧୫ ବର୍ଷୀୟା ନାବାଳିକା କାଉଡ଼ିଆଙ୍କ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ପାଗ ନଈରେ ଘଟିଛି।

ସୂଚନା ଅନୁଯାୟୀ, ରବିବାର ସକାଳେ ଚାନ୍ଦିପୁର ଥାନା ଅନ୍ତର୍ଗତ ବଡ଼କିଆ ଗ୍ରାମର ଦାମୋଦର ବାରିକଙ୍କ ୧୫ ବର୍ଷୀୟା ଝିଅ ମାନସୀ ବାରିକ ତାଙ୍କ ମାଆ ଓ ଦାଦାଙ୍କ ସହ ଶିବ ମନ୍ଦିରରେ ଜଳଲାଗି ପାଇଁ ପାଗ ନଈକୁ ପାଣି ଆଣିବାକୁ ଯାଇଥିଲେ। ସେହି ସମୟରେ ନଦୀରେ ପାଣିର ସ୍ରୋତ ଅଧିକ ଥିବାରୁ ଅସାବଧାନତାବଶତଃ ସେ ନଦୀଗର୍ଭରେ ବୁଡ଼ି ଯାଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ବାଲେଶ୍ୱର ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ନଦୀରେ ଖୋଜାଖୋଜି ପରେ ସେମାନେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଏହି ଘଟଣାକୁ ନେଇ ଚାନ୍ଦିପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି। ନାବାଳିକାଙ୍କ ଅକାଳ ମୃତ୍ୟୁରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।