ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

Jul 26, 2026 - 20:06
ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ ଆଖି ବୁଜିଛନ୍ତି ଆଉ ଜଣେ ନିରୀହ ଆଦିବାସୀ ଭିନ୍ନକ୍ଷମ ଶିଶୁ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଓଡ୍ରି ପଞ୍ଚାୟତ ଟାଙ୍ଗରା ଗ୍ରାମର ଉଦେ ମାଝୀଙ୍କ ୭ ବର୍ଷର ପୁଅ ସୁନୀଲ ମାଝୀଙ୍କର ଏହି ଅକାଳ ବିୟୋଗ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେବା ସହ ସରକାରୀ ଯୋଜନାର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି। ସୁନୀଲ ଜନ୍ମରୁ ‘ସେରିବ୍ରାଲ ପାଲ୍ସି’ରେ ଆକ୍ରାନ୍ତ ହୋଇ ୮୦ ପ୍ରତିଶତ ସ୍ଥାୟୀ ଭିନ୍ନକ୍ଷମ ଥିବା ନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମାଣପତ୍ର ଦେଇଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ତାଙ୍କୁ କେବଳ ଗୋଟିଏ ହ୍‌ବିିଲଚେୟାର (ଟ୍ରାଏ ସାଇକେଲ) ମିଳିଥିବା ବେଳେ ମାସିକ ଭିନ୍ନକ୍ଷମ ଭତ୍ତା କିମ୍ବା ଆବାସ ଗୃହଟିଏ ଶେଷ ପର୍ଯ୍ୟନ୍ତ ମିଳିପାରି ନ ଥିଲା। ସୂଚନା ଅନୁଯାୟୀ, ଗତ ମାସ ୨୪ ତାରିଖ ଦିନ ସାମାନ୍ୟ ଜ୍ୱରରେ ପୀଡ଼ିତ ହୋଇ ସୁନୀଲ ପ୍ରାଣ ହରାଇଛନ୍ତି। ଅଭାବ ଅନଟନ ଯୋଗୁ ଗରିବ ପରିବାରଟି ଶିଶୁର ଉଚିତ୍‌ ଚିକିତ୍ସା କରାଇବାକୁ ମଧ୍ୟ ଅସମର୍ଥ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ସୁନୀଲଙ୍କୁ ଭତ୍ତା ନ ମିଳିବା ନେଇ ଗଣମାଧ୍ୟମ ପ୍ରତିନିଧି ସରପଞ୍ଚ ନାନ୍ଦେଇ ମାଝୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସରପଞ୍ଚ ଅନଲାଇନ ଆବେଦନ କରାଯାଇଛି ବୋଲି ଦାବି କରିଥିଲେ ସୁଦ୍ଧା, ଏସଏସଇପିଡି ପୋର୍ଟାଲ ଯାଞ୍ଚରୁ ସେହି ଦାବି ମିଛ ପ୍ରମାଣିତ ହୋଇଥିଲା। ଏହାପରେ ଆମ ପ୍ରତିନିଧି ନିଜେ ସୁନୀଲଙ୍କ ପାଇଁ ଅନଲାଇନ ଆବେଦନ କରିଥିଲେ ଏବଂ ବିଏସଏସଓ ତଦନ୍ତ କରି ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରଶାସନର ‘ତଦନ୍ତ’ ସରିବା ପୂର୍ବରୁ ହିଁ ସୁନୀଲ ସଦାଦିନ ପାଇଁ ଚାଲିଗଲେ।

ଓଡ୍ରି ପଞ୍ଚାୟତରେ ଗରିବଙ୍କ ସମସ୍ୟା ବୁଝିବା ବଦଳରେ ଅଧିକାରୀ ଓ ନେତାମାନେ ମନରେଗା ଓ ଡିଏମଏଫ ପାଣ୍ଠିର ନିମ୍ନମାନର କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି। ସୁନୀଲଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିବ ନା ଏହିପରି ଅନ୍ୟ ଦିବ୍ୟଙ୍ଗମାନେ ସରକାରୀ ଅବହେଳାର ଶିକାର ହେଉଥିବେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୃତ ଶିଶୁଙ୍କ ଶୋକସନ୍ତପ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।