ଶିଶୁପୁତ୍ର ଉଦ୍ଧାର ଘଟଣା , ପୋଷ୍ୟ ସଂସ୍ଥାକୁ ହସ୍ତାନ୍ତର କଲା ପୋଲିସ

Jun 27, 2026 - 10:28
ଶିଶୁପୁତ୍ର ଉଦ୍ଧାର ଘଟଣା , ପୋଷ୍ୟ ସଂସ୍ଥାକୁ ହସ୍ତାନ୍ତର କଲା ପୋଲିସ

ଦିଗପହଣ୍ଡି,୨୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସର ପରିତ୍ୟକ୍ତ ଜମିରୁ, ଶୁକ୍ରବାର ସାରେ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଥିବା ଶିଶୁପୁତ୍ରଙ୍କୁ ବିଳମ୍ବିତ ରାତିରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମ ପୋଷ୍ୟ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । କେ.ନୂଆଗାଁ ଥାନା ଏଏସଆଇ ସୁବାସ ବାୟକ, ଜିଲା ମହିଳା ଓ ଶିଶୁ ପ୍ରକଳ୍ପ ଅଧିକାରୀ ରାଜଶ୍ରୀ ଦାସ, ଚିକିଟିର ଅଙ୍ଗନୱାଡ଼ି କର୍ମୀ ବୃନ୍ଦଙ୍କ ଉପସ୍ଥିତିରେ ପୋଷ୍ୟ ସଂସ୍ଥାର ସାମାଜିକ କର୍ମୀ ଅରୁନ୍ଧତୀ ପଣ୍ଡାଙ୍କୁ ହସ୍ତାନ୍ତର କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ କେହି ଜଣେ ଅଜ୍ଞାତ ବ୍ୟକ୍ତି କ୍ଷୀର ବୋତଲ ସହ କପଡ଼ାରେ ଗୁଡ଼ାଇ ଶିଶୁଟିକୁ ମନ୍ଦିର ନିକଟ ପରିତ୍ୟକ୍ତ ଜମିରେ ଛାଡ଼ି ଚାଲିଯାଇଥିଲେ। ଶିଶୁଟିର କାନ୍ଦ ଶୁଣି କେତେକ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ସହ ଜକର ପଞ୍ଚାୟତ
ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନ ଏବଂ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପ୍ରଧାନଙ୍କୁ ଫୋନ ଯୋଗେ ଜଣାଇଥିଲେ। ସରପଞ୍ଚଙ୍କ ପରାମର୍ଶ କ୍ରମେ ସାମାଜିକ କର୍ମୀ ମନୋଜ କୁମାର ପ୍ରଧାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିକେ. ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକଙ୍କୁ ସମୁଦାୟ ଘଟଣା ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ନିମନ୍ତେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶିଶୁଟିର ବୟସ ପ୍ରାୟ ୩ ମାସ ହେବ ବୋଲି ଡାକ୍ତର କହିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ଆଇଆଇସି ଙ୍କ ପରାମର୍ଶ କ୍ରମେ ଶିଶୁଟିକୁ ପୋଷ୍ୟ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ସଂସ୍ଥାର ସଦସ୍ୟା ସାମାଜିକ କର୍ମୀ ଶିଶୁକୁ ଗ୍ରହଣ କରିଥିବା ନେଇ ଆଇଆଇସିଙ୍କୁ ଲିଖିତ ପତ୍ର ପ୍ରଦାନ କରିଛନ୍ତି। ଶିଶୁଙ୍କ ଜନ୍ମିତ ମାତା ପିତା କିଏ ଏବଂ କେଉଁ ପରିସ୍ଥିତିରେ ପଡି ଶିଶୁ ପୁତ୍ରଙ୍କୁ ସେଠାରେ ଛାଡି ଦେଇଥିଲେ ସେ ନେଇ ତଦନ୍ତ ଚାଲିଥିବା ଆଇଆଇସି କହିଛନ୍ତି।

Dharitri – Odisha’s No.1, Most Trusted Odia Daily