ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ
ଗ୍ଲାସ୍ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି ଲିଫ୍ଟର ମୋଟ ୨୬୪ (୧୨୧+ ୧୪୩) କେଜି ଭାର ଉଠାଇଥିଲେ।
ସ୍ନାଚ୍ରେ ସେ ୧୨୧ କେଜି ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସମକକ୍ଷ ହେବା ପରେ କ୍ଲିନ ଆଣ୍ଡ୍ ଜର୍କରେ ପୋଲ ପୋଜିଶନରେ ପ୍ରବେଶ କରିଥିଲେ। ମାତ୍ର କ୍ଲିନ ଆଣ୍ଡ୍ ଜର୍କର ଅନ୍ତିମ ଦୁଇ ଉଦ୍ୟମରେ ବିଫଳ ହେବା ପୂର୍ବରୁ ସେ ୧୪୩ କେଜି ଉଠାଇପାରିଥିଲେ। ତାଙ୍କର ଦୁଇଟି ବିଫଳ ଉଦ୍ୟମର ଫାଇଦା ନେଇ ମାଲେସିଆର ମହମ୍ମଦ ଆନିକ କାସଦାନ ସ୍ବର୍ଣ୍ଣ ପଦକ ହାତେଇ ନେଇଥିଲେ।
କାସଦାନ ସ୍ନାଚ୍ରେ ୧୨୧ କେଜି ଉଠାଇବା ପରେ କ୍ଲିନ ଆଣ୍ଡ୍ ଜର୍କ ରାଉଣ୍ଡରେ ୧୫୨ କେଜି ଓଜନ ଉଠାଇଥିଲେ, ଯାହାକି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ। ସେ ମୋଟ ୨୭୩ କେଜି ଉଠାଇଥିଲେ। କେନିୟାର ଜୋଶୁଆ ଆମୁଙ୍ଗା ଏମ୍ବୋୟା ମୋଟ ୨୬୦ (୧୧୫+୧୪୫) କେଜି ଉଠାଇ ବ୍ରୋଞ୍ଜ ପଦକ ଜିତିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ। ଏହା ପୂର୍ବରୁ ଭାରତର ଝଣ୍ଡୁ କୁମାର ପାରା ଶକ୍ତିଉତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଫଳରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।