ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇପାରିବେ କି ସରକାର? ଜାଣନ୍ତୁ କ’ଣ କହୁଛି ଆଇନ
ନୂଆଦିଲ୍ଲୀ, ୨୮।୭: ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଆଣିବା କଥା କହିଛନ୍ତି। ସେ ରାହୁଲ ଗାନ୍ଧୀଙ୍କ ବିଦେଶୀ ଶକ୍ତିଗୁଡ଼ିକର ପ୍ରଭାବରେ କାର୍ଯ୍ୟ କରୁଥିବା ଅଭିଯୋଗ କରିବା ସହ ତାଙ୍କର ବିଦେଶ ଗସ୍ତର ତଦନ୍ତ ପାଇଁ ଏକ ଏସଆଇଟି (SIT) ଗଠନ କରିବାକୁ ମଧ୍ୟ ଦାବି କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କେବଳ ଲୋକ ସଭାରେ ପ୍ରସ୍ତାବ ଆଣି ବିରୋଧୀ ଦଳର ନେତାଙ୍କୁ ହଟାଯାଇପାରିବ କି? ଏ ବିଷୟରେ ସମ୍ବିଧାନ ଏବଂ ଆଇନ କ’ଣ କହୁଛି?
ଲୋକ ସଭାରେ ବିରୋଧୀ ଦଳର ନେତା ପଦ ସମ୍ବିଧାନରେ ନାହିଁ, ବରଂ ‘ସାଲାରୀ ଆଣ୍ଡ ଆଲାଉନ୍ସେସ ଅଫ ଲିଡର୍ ଅଫ ଅପୋଜିସନ ଇନ ପାର୍ଲାମେଣ୍ଟ ଆକ୍ଟ, ୧୯୭୭’ ଅନୁଯାୟୀ ସ୍ବୀକୃତିପ୍ରାପ୍ତ। ଏହି ଆଇନ ଅନୁଯାୟୀ, ଲୋକ ସଭାରେ ସରକାରଙ୍କ ବିରୁଦ୍ଧରେ ସର୍ବାଧିକ ସାଂସଦ ଥିବା ଦଳର ନେତା, ଯାହାଙ୍କୁ ଲୋକ ସଭା ବାଚସ୍ପତି (ସ୍ପିକର୍) ସ୍ବୀକୃତି ଦିଅନ୍ତି, ସେହି ବ୍ୟକ୍ତି ବିରୋଧୀ ଦଳର ନେତା ହୋଇଥାଆନ୍ତି।
ଏଠାରେ ଆଉ ଏକ ସର୍ତ୍ତ ରହିଛି ଯେ, ସେହି ଦଳ ପାଖରେ ସଦସ୍ୟ ସଂଖ୍ୟାର ଅତିକମରେ ୧୦ ପ୍ରତିଶତ ସଦସ୍ୟ ରହିବା ଆବଶ୍ୟକ। ଅର୍ଥାତ୍ ଏହି ପଦ କୌଣସି ନିର୍ବାଚନ କିମ୍ବା ସଦସ୍ୟମାନଙ୍କ ମଧ୍ୟରେ ଭୋଟ ଦ୍ୱାରା ମିଳିନଥାଏ, ବରଂ ସବୁଠାରୁ ବଡ଼ ବିରୋଧୀ ଦଳର ନେତାଙ୍କୁ ସ୍ପିକରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ସ୍ବୀକୃତି ମିଳିବା ପରେ ଏହା ପ୍ରାପ୍ତ ହୋଇଥାଏ।
ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇପାରିବେ କି ସରକାର?
ସିଧା ଉତ୍ତର ହେଉଛି ନା। ଆଇନରେ ଏପରି କୌଣସି ବ୍ୟବସ୍ଥା ନାହିଁ ଯେ, ସରକାର କିମ୍ବା କୌଣସି ସାଂସଦ ଲୋକ ସଭାରେ ପ୍ରସ୍ତାବ ଆଣି ବିରୋଧୀ ଦଳର ନେତାଙ୍କୁ ପଦରୁ ହଟାଇପାରିବେ। ବିରୋଧୀ ଦଳର ନେତାଙ୍କୁ ହଟାଇବା ପାଇଁ ସଂସଦରେ କୌଣସି ପୃଥକ ପ୍ରକ୍ରିୟା ନିର୍ଦ୍ଧାରିତ ହୋଇନାହିଁ।
ଯଦି କଂଗ୍ରେସ ରାହୁଲ ଗାନ୍ଧୀଙ୍କ ପରିବର୍ତ୍ତେ ଅନ୍ୟ କୌଣସି ନେତାଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରେ କିମ୍ବା ରାହୁଲ ଗାନ୍ଧୀ ଲୋକ ସଭା ସଦସ୍ୟତା ହରାନ୍ତି, ତେବେ ପରିସ୍ଥିତି ବଦଳିପାରେ। ସେହିପରି, କୌଣସି ଆଇନଗତ କିମ୍ବା ସାମ୍ବିଧାନିକ କାରଣରୁ ଯଦି ତାଙ୍କର ସଦସ୍ୟତା ଶେଷ ହୁଏ, ତେବେ ବିରୋଧୀ ଦଳର ନେତା ପଦ ମଧ୍ୟ ସ୍ବତଃ ଶେଷ ହୋଇଯିବ।
ତେବେ, ଲୋକ ସଭାରେ ତାଙ୍କ ବିରୋଧରେ କୌଣସି ପ୍ରସ୍ତାବ ଆଣି ତାଙ୍କୁ ବିରୋଧୀ ଦଳର ନେତା ପଦରୁ ହଟାଇବା ସମ୍ଭବ ନୁହେଁ।
ବାସ୍ତବରେ, ସଂସଦରେ କେବଳ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଅବିଶ୍ୱାସ କିମ୍ବା ପଦଚ୍ୟୁତି ସମ୍ବନ୍ଧୀୟ ପ୍ରସ୍ତାବ ଆଣିବାର ବ୍ୟବସ୍ଥା ରହିଛି। ଏଥିରେ ଲୋକ ସଭା ବାଚସ୍ପତି, ଉପବାଚସ୍ପତି, ରାଜ୍ୟ ସଭାର ସଭାପତି, ସଦନର ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ପଦ ସାମିଲ ରହିଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।