ରାହା ଖୋଜୁଛନ୍ତି ବନ୍ୟା ବିପନ୍ନ

Aug 01, 2026 - 07:45
ରାହା ଖୋଜୁଛନ୍ତି ବନ୍ୟା ବିପନ୍ନ

ଭୁବନେଶ୍ୱର,୧ା୮ (ରବିନାରାୟଣ ଜେନା): ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଉତ୍ତରରୁ ପଶ୍ଚିମ ଏବଂ ଉପକୂଳ ଓଡ଼ିଶାରେ ବନ୍ୟା ଯୋଗୁ ୭ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଜୀବିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଣି ଘେର ମଧ୍ୟରେ ଲୋକମାନେ ରାହା ଖୋଜୁଛନ୍ତି। ସରକାରଙ୍କ ପକ୍ଷରୁ ଗୁରୁବାର ଅପରାହ୍ନ ସୁଦ୍ଧା ୧ଲକ୍ଷ ୯୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରିଲିଫ ସାମଗ୍ରୀ ଓ ରନ୍ଧନଖାଦ୍ୟ ଯୋଗାଇ ଦିଆଯାଉଛି। ଏବେ ବି ବହୁ ଜିଲାରେ ଲୋକେ ଜଳଘେରରେ ରହିଛନ୍ତି। ତେବେ ଯାଜପୁର, କେନ୍ଦୁଝର,ବାଲେଶ୍ୱର ଓ ଭଦ୍ରକରେ ବିଭିନ୍ନ ସ୍ଥାନ ଓ ନଦୀବନ୍ଧରେ ଘାଇ ସୃଷ୍ଟି ହେବା ଯୋଗୁ ବହୁ ଫସଲ ଓ ଧନ କ୍ଷୟକ୍ଷତି ହୋଇଛି। ବନ୍ୟା ପ୍ରଭାବରେ ୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ କୁହାଯାଉଥିଲେ ହେଁ ବେସରକାରୀ ଭାବେ ଏହି ସଂଖ୍ୟା ୭ରୁ ଊର୍ଦ୍ଧ୍ୱ ବୋଲି କୁହାଯାଇଛି।
ରାଜ୍ୟରେ ଲଗାଣବର୍ଷା ଯୋଗୁ ବୁଧବାର ସୁଦ୍ଧା ୬ଟି ଜିଲାରେ ବନ୍ୟା ସ୍ଥିତି ଉପୁଜିଥିବାବେଳେ ଗୁରୁବାର ଏହି ସଂଖ୍ୟା ୨୦କୁ ଛୁଇଁଛି। ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଜଗତ୍‌ସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ର ୧୦୦ଟି ବ୍ଲକରେ ବନ୍ୟା ସ୍ଥିତି ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେଇଛି। ରାଜ୍ୟରେ ଦୀର୍ଘବର୍ଷ ପରେ ଏଭଳି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଥିବାରୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଆକାଶମାର୍ଗରୁ କ୍ଷୟକ୍ଷତି ଆକଳନ କରିଛନ୍ତି। ଏହାସହିତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୃଷ୍ଣଚନ୍ଦ୍ର ମହାପାତ୍ର ଓ ଗଣେଶ ରାମସିଂ ଖୁଣ୍ଟିଆ ପ୍ରମୁଖ ବିଭିନ୍ନ ଜିଲାରେ ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ବିତରେ ଲାଗି ପଡ଼ିଛନ୍ତି।
ତେବେ ବନ୍ୟା ଯୋଗୁ ଭଦ୍ରକ ଜିଲାରେ ସର୍ବାଧିକ ୪ଲକ୍ଷ ୧୧ହଜାର ୪୨୨ ଲୋକ ପ୍ରଭାବିତ ହୋଇଥିବାବେଳେ ୧ଲକ୍ଷ ୨୦ହଜାର ୧୫୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଜିଲାରେ ପ୍ରାୟ ୧୦୨ଟି ପଞ୍ଚାୟତର ୪୦୦ ଗ୍ରାମର ଲୋକେ ପ୍ରଭାବିତ ହୋଇଛନ୍ତି। ସେହିପରି ବାଲେଶ୍ୱରରେ ୧ଲକ୍ଷ ୪୬ହଜାର ୫୦୪ ଲୋକ ପ୍ରଭାବିତ ହୋଇଥିବାବେଳେ ୨୯ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରାଯାଇ ରନ୍ଧନ ଖାଦ୍ୟ ଯୋଗାଣ ହେଉଛି। ଯାଜପୁରରେ ୧ଲକ୍ଷ ୩୭ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ୩୫ହଜାର ୫୭୨ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଢେଙ୍କାନାଳ, କେନ୍ଦୁଝର ଓ ରାୟଗଡ଼ାରେ ଜଣେ ଲେଖାଏ ମୃତ୍ୟୁବରଣ କରିଥିବା ଏସ୍‌ଆର୍‌ସିଙ୍କ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲାର ଖରିଆର ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ନିକଟରେ ବଢ଼ୁଥିବା ବନ୍ୟାଜଳ ମଧ୍ୟରେ ଏକ କୁକୁଡ଼ା ଫାର୍ମ ଘରର ଛାତ ଉପରେ ଫସି ରହିଥିବା ୮ ଜଣଙ୍କୁ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର କରିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବଲାଙ୍ଗୀର ଲୋଇସିଂହାର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ବର୍ଷା ଯୋଗୁ ଜଳବନ୍ଦୀରେ ପ୍ରଭାବିତ ଗ୍ରାମଗୁଡ଼ିକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।