ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

Jul 27, 2026 - 11:35
ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା ବେଳେ କେନ୍ଦ୍ରୀୟ କ୍ଷମତା ମେଣ୍ଟ ଚାରି ମିଲିୟନ ଲୋକବଳ ହରାଇଲେ। ମିତ୍ରଶକ୍ତିରେ ଗ୍ରେଟ୍‌ ବ୍ରିଟେନ, ରୁଷିଆ, ଫ୍ରାନ୍ସ, ଜାପାନ, ଆମେରିକା (ଯୁଦ୍ଧ ସରିବା ବେଳକୁ) ଓ ଇଟାଲୀ (ଯୁଦ୍ଧର ବର୍ଷକ ପରେ) ସାମିଲ ହେଲେ। ହାରିଥିବା ସେଣ୍ଟ୍ରାଲ ଫୋର୍ସକୁ ମିତ୍ର ଦେଶମାନେ ଓଲଟା ଦାବିକଲେ କ୍ଷତି ଭରଣା କରିବାକୁ। ଭର୍ସାଇଲସ ଚୁକ୍ତି ଅନୁସାରେ ଜର୍ମାନୀକୁ ଗୋଟେ ବଡ ଅଂଶ ଭରଣା ମଗାଗଲା ବେଳେ କେନ୍ଦ୍ରୀୟ ବାହିନୀରେ ସାମିଲ ଅଷ୍ଟ୍ରିଆ, ହଙ୍ଗେରୀ, ବୁଲଗେରିଆ ଓ ଓଟ୍ଟୋମାନ ସାମ୍ରାଜ୍ୟକୁ ମଧ୍ୟ କ୍ଷତି ଭରଣା କରିବାକୁ କୁହାଗଲା। ପରବର୍ତ୍ତୀ ସମୟରେ ବିଶ୍ୱ ଅର୍ଥବ୍ୟବସ୍ଥା ଭୁଶୁଡି ପଡିବାରେ କ୍ଷତିଭରଣା କଥା ଖାତାପତ୍ରରେ ରହିଗଲା। ପ୍ରଥମ ବିଶ୍ୱଯୁଦ୍ଧର ଆରମ୍ଭ ତାରିଖ ଆଉ ଇରାନ ଉପରେ ଆମେରିକାର ଆକ୍ରମଣ ସମାନ ୨୮ ତାରିଖରେ ହୋଇଥିବା ବେଳେ ଏଥର ଆମେରିକା କ୍ଷତି ଭରଣା କରିବାକୁ ଅଛି ଅନୂ୍ୟନ ୩୦୦-୪୦୦ ବିଲିୟନ ଡଲାର। ଦବା ନ ଦବା ସେହି ଖାତାପତ୍ର କଥା ହୋଇଯାଇପାରେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ କାଳରେ ଯେଉଁମାନେ ଯୋଦ୍ଧାପଣେ ଛାତିରେ ହାତ ବାଡେଇଲେ ସେମାନଙ୍କୁ କ୍ଷତିଭରଣା କରିବାକୁ କୁହାଗଲା। ଲକ୍ସମବର୍ଗ ରାଜିନାମା ୧୯୫୨ ଅନୁସାରେ ପଶ୍ଚିମ ଜର୍ମାନୀକୁ ଇସ୍ରାଏଲ ପାଇଁ ୩ ବିଲିୟନ ଡଏଶ୍ଚ ମାର୍କ ଶୁଝିବାକୁ ପଡିଲା। ପୁଣି ୪୫୦ ମିଲିୟନ ଡଏଶ୍ଚ ମାର୍କ କ୍ଷତିଗ୍ରସ୍ତ ଜ୍ୱିଇସ(ଇହୁଦୀ ଶରଣାର୍ଥୀ)ଙ୍କୁ ଦବାପାଇଁ କୁହାଗଲା। ସାନଫ୍ରାନ୍ସିସ୍କୋ ଶାନ୍ତି ଚୁକ୍ତି ଅନୁଯାୟୀ ଜାପାନକୁ ଫିଲିପାଇନ୍ସ ଓ ଦକ୍ଷିଣ ଭିଏଟ୍‌ନାମ ପୁନର୍ଗଠନ ନିମିତ୍ତ ଏକ ବିଲିୟନ ଆମେରିକା ଡଲାରରୁ ଅଧିକ ଦବାକୁ ପଡିଲା। ସେହିପରି ଖାଡ଼ି ଯୁଦ୍ଧରେ କ୍ଷତିଗ୍ରସ୍ତ କୁଏଟ୍‌ ପାଇଁ ଇରାକକୁ ଦେଶର ତହବିଲରୁ ୫୨.୪ ବିଲିୟନ ଆମେରିକୀୟ ଡଲାର ଭରିବା ପାଇଁ ପଡିଲା। ତାହା ଜାତିସଂଘ କ୍ଷତି ଭରଣା ଆୟୋଗଙ୍କ ସଂରକ୍ଷିତ ପୁଞ୍ଜିରୁ ୨୦୨୨ ମସିହା ପର୍ଯ୍ୟନ୍ତ ଦିଆଗଲା। ୨ୟ ବିଶ୍ୱଯୁଦ୍ଧ ପରେ ଜାପାନୀ ଆମେରିକୀୟଙ୍କ ପାଇଁ ଯୁକ୍ତରାଜ୍ୟ ଆମେରିକାକୁ କୋଡିଏ ହଜାର ଡଲାର କରି ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ଦେବାକୁ ପଡିଲା ସିଭିଲ ଲିବର୍ଟି ଆକ୍ଟ ୧୯୮୮ ଅନୁସାରେ। ଚାହିଁଥିଲେ ପାରସ୍ୟ ଉପକୂଳର ଦେଶ ଇରାନକୁ ରାତିକ ଭିତରେ ନିଶ୍ଚିହ୍ନ କରିଦେଇଥାନ୍ତି କହିବା ଓ ପ୍ରଭୃତ କ୍ଷତି ପହଞ୍ଚାଇବା ସହ ଯୁଦ୍ଧ ଜିତିଛି ବୋଲି କହୁୁଥିବା ଡୋନାଲ୍ଡ ଟ୍ରମ୍ପ୍‌୍‌ ମଧ୍ୟ କ୍ଷତି ଭରଣା କରିବେ। ଆମେରିକାକୁ ଅତ୍ୟଧିକ ଆର୍ଥିକ ବୋଝ ଉଠେଇବାକୁ ପଡିବ।
ରଥି ମହାରଥୀ କଥା ଯେତେବେଳେ, ସେମାନେ ଥକ୍କା ମେଣ୍ଟାଇବା ଆଳରେ ଅନେକ ଦିନ ଯାଏ ଆଲୋଚନା ପର୍ଯ୍ୟାଲୋଚନା ବାହାଦୁରୀ ବଣ୍ଟାକୁଣ୍ଟାରେ ବ୍ୟସ୍ତ ରହିଲେ। ସଖା କୃଷ୍ଣଙ୍କୁ ପାଖରେ ବସେଇ ବଳକା ଯୋଦ୍ଧାଗଣ କଥା ହେଲେ – କିଏ କେମିତି ଯୁଦ୍ଧକୁ ନିର୍ଣ୍ଣାୟକ କରିବା ସମର୍ଥ ହେଲେ। ଭାରତ ଯୁଦ୍ଧର ଆଦ୍ୟ ପ୍ରାନ୍ତ ଦେଖିଥିବା ଭୀମଙ୍କ ନାତି ତଥା ଘଟତ୍କୋଚର ପୁଅ ବେଲାଳସେନର କଟା ମୁଣ୍ଡଟାକୁ ପଥର ଖମ୍ବ ଉପରୁ ଉତ୍ତାରି ଆଣି ପଚରାଗଲା- କହ ବେଲାଳ, ଯୋଦ୍ଧାଗଣଙ୍କ ଭିତରୁ କିଏ ଅଧିକ ପ୍ରତିପକ୍ଷଙ୍କୁ ମାରିଛି ? ବେଲାଳ ଉତ୍ତର ଦେଲା- ‘କେବଳ ଗୋଟାଏ ଚକ୍ର ସବୁ ଛେଦନ କରୁଥିଲା’। ବାସ୍‌ ଏତିକିରେ ପ୍ରତିଟି ଯୋଦ୍ଧାଙ୍କ ଝାଳ ଉଦଗମ ହେଲା। କ୍ରୋଧ ଜର୍ଜରିତ ଭୀମ ନାତିର ମୁଣ୍ଡଟାକୁ ଫୋପାଡିଦେଲେ ନିକଟସ୍ଥ ପଥରମୁଣ୍ଡିଆ ଉପରକୁ, ଯାହା ଚୂର୍ଣ୍ଣ-ବୀଭତ୍ସ ହୋଇଗଲା ମୁହୂର୍ତ୍ତକରେ। ଶେଷ ଗଦା ଯୁଦ୍ଧରେ ଦୁର୍ଯ୍ୟୋଧନର ଜାନୁ ଭାଙ୍ଗିଥିବା ଭୀମଙ୍କ ପାଇଁ ନାତି ବେଲାଳର ମୁଖପତ୍ର ପ୍ରଶଂସା ଉତ୍ସାହରହିତ, ଅସୌଜନ୍ୟ, ନୀଚ ଆଉ ଅଭିସନ୍ଧିମୂଳକ। ମହାଭାରତ ଯୁଦ୍ଧ ଦୃଶ୍ୟାନ୍ତର ହେଲାଣି ପାଞ୍ଚ ହଜାର ବର୍ଷ ତଳୁ,ହେଲେ ସାମାଜିକ, ରାଜନୈତିକ ଜୀବନରେ ଅଳଙ୍କରଣ, ପଦ ମଣ୍ଡନ ବେଳେ ଆହ୍ବାନ ଦିଆଯାଏ ସତ କିଏ ଦେଖିଛ କୁହ। ନିରାଟ ସତ୍ୟର ସତ୍ୟବ୍ରତ ଗଣ ସତ୍ୟ ଉନ୍ମୋଚନ ପାଇଁ ପଛଘୁଞ୍ଚା ଦିଅନ୍ତି। ବେଲାଳ ପରି କିଏବା କାହିଁକି ଦୁଃର୍ଜୟୀ ହେବ ଜୀବନକୁ ସଲିଳ ସମାଧି ଦେଇ।
ଯୁଦ୍ଧ ଛୋଟ ହେଉ ଅବା ବଡ, ଭିତରେ କାମ କରୁଥାଏ ଏକ ଅଦୃଶ୍ୟ ଶକ୍ତି। ବ୍ରିଟିଶ ରୟାଲ ଏୟାର ଫୋର୍ସ କେମିତି ଜର୍ମାନୀ ଇମ୍ପେରିଆଲ ଏୟାର ସର୍ଭିସେସର ବୋମାବର୍ଷି ଜେପ୍ପେଲିନ-ଷ୍ଟାକେନ (ଆର.୬ ଜିଆଣ୍ଟ)କୁ ଚିତ୍‌ପଟାଙ୍ଗ କଲା। ମିତ୍ରପକ୍ଷର ୫୦୦୦ ବଡ ବାଣିଜି୍ୟକ ଜାହାଜକୁ କେମିତି ଜର୍ମାନୀର ୟୁବୋଟ ଜଳ ସମାଧି ଦେଇଦେଲେ ଆଉ କେମିତି ସର୍ବିଆ ଭଳି ଛୋଟିଆ ଦେଶଟି କ୍ଷମତାସମ୍ପନ୍ନ ଅଷ୍ଟ୍ରିଆ-ହଙ୍ଗେରୀ ପଦାତିକ ବାହିନୀ ଉପରେ ଭୟଙ୍କର ଭାବରେ ଭାରି ପଡିଲା। ୧୯୧୪ ଅଗଷ୍ଟ, ମାତ୍ର ୯ଦିନର ‘ସର ଯୁଦ୍ଧ’ରେ ଅଷ୍ଟ୍ରୋ-ହଙ୍ଗେରିଆନ ବାହିନୀର ପାଖାପାଖି ଦଶ ହଜାର ଶହୀଦ ହୋଇଗଲେ, ତିରିଶ ହଜାର ଗୁରୁତର ହେବା ସହ ପାଞ୍ଚହଜାର ଯୁଦ୍ଧବନ୍ଦୀ ହେଲେ। ବିଶ୍ୱରେ ସଂଗଠିତ ଅନେକ ଯୁଦ୍ଧ ଭିତରୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା କେବଳ ‘ଫ୍ୟାଟ ମ୍ୟାନ’ ଆଉ ‘ଲିଟିଲ ବଏ’ର ସତ୍ୟତା ଭିତରେ ଯେମିତି ରହିଗଲା। ପ୍ରକୃତ ସତ୍ୟ ଥିଲା ଯୁଦ୍ଧର ଅନେକ ମୁହୂର୍ତ୍ତ ସିକନ୍ଦର ଆଉ ବାଜିଗର ଭିତର ରୋମାଞ୍ଚକ ଛକାପଞ୍ଝା କାହାଣୀ। ଟ୍ରମ୍ପ୍‌ଙ୍କ ଇରାନ ଆକ୍ରମଣ ପ୍ରତିଆକ୍ରମଣରେ ଜୀବନର ସଂଜ୍ଞା ଅନିତ୍ୟ ଦିଶୁଥିଲା ଜଳଜଳ ହୋଇ। କାହାର ବିଜୟ ହେଲାକୁ ନେଇ ଏବେ ବି ବିଶ୍ୱ ବିଭାଜିତ। ଆମେ ଯୁଦ୍ଧ ଚାହୁଁ ନ ଥିଲେ, ହେଲେ ଯାହା ହେଲା ଭଲ ହେଲା।
କାହାକୁ ଅହଂକାର ତ ଆଉ କାହାକୁ ଜୀବନ-ଯୌବନର ଅହମିକାକୁ ବଳି ଦେବାକୁ ପଡିବ। ୱାର ଇଜ୍‌ ନଟ ରେଲିଜିଅନ ବଟ ୱାର ଇଜ୍‌ ୱେଜିଙ୍ଗ ଦ ହାଇଏଷ୍ଟ ରେଲିଜିଅନ ପରି ଭଗବଦ୍‌ ଗୀତାର ଅମୂଲ୍ୟବାଣୀକୁ ନିରର୍ଥକ ପ୍ରତିପାଦନ କରିହେବ ନାହିଁ।
ମଧ୍ୟପ୍ରାଚ୍ୟର ଯୁଦ୍ଧ ଘନଘଟା ଭିତରୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୋବେଲ ଆଶା ନୈତିକ ଅନାସ୍ଥା ସମ୍ମୁଖୀନ ହେଉଛି ବାରମ୍ବାର, କାରଣ ‘ଯୁଦ୍ଧଂ ଦେହି’ ଆହ୍ବାନ ଆଉ ଶାନ୍ତିର ମହାମନ୍ତ୍ର ଗୋଟିଏ ଛାତ ତଳେ ସମ୍ଭବ ନୁହେଁ। ଟ୍ରମ୍ପ୍‌ଙ୍କ ବୀରତ୍ୱକୁ ତିଳେ ମଧ୍ୟ ସ୍ବୀକାର କରୁ ନ ଥିବା ଇରାନ ଉପରେ କ୍ରୋଧିତ ହୋଇ ଶେଷରେ ବହିଷ୍କାର କରିଦେଲେ ନିଜ ଦେଶର ଆର୍ମି ମୁଖ୍ୟ ରେଣ୍ଡି ଜର୍ଜଙ୍କୁ, ଭୀମ ବେଲାଳସେନକୁ ଫୋପାଡ଼ି ଦେଲାଭଳି। ଆଗଧାଡିର ଗୋଇନ୍ଦା ସଂସ୍ଥା ‘ମୋସାଦ’ ମୁଖ୍ୟଙ୍କ ଉପରେ ଇସ୍ରାଏଲ ରାଗ ଶୁଝେଇବା ଭଳି। ପେଡି ଭିତର କଥା ଆଗକୁ ଅଧିକ ଫିଟେଇବା ଅପେକ୍ଷା ବେଲାଳସେନକୁ ଅସ୍ଥିତ୍ୱ ଶୂନ୍ୟ କରିଦେବା ମଙ୍ଗଳ। ଜୀବନ ଯୁଦ୍ଧରେ ସ୍ବର ଭାଷିଣୀ ଏସ୍‌. ଜାନକୀଙ୍କ ପଦ୍ମଭୂଷଣ ଅଗ୍ରାହ୍ୟକୁ ଓ ଭାରତରତ୍ନ ଆଗ୍ରହକୁ ଯିଏ ତର୍ଜମା କରିବେ ସିଏ ଯୁଦ୍ଧ କ’ଣ ଜାଣିଥିବା ନିହାତି ଦରକାର। ମାତୃଭୂମି ସୁରକ୍ଷାଦାର ସୈନିକ, ପଙ୍କକାଦୁଅ ଲୋଟୁଥିବା ଚାଷୀ ଆଉ ପଢା ପିଲାଙ୍କ ମୁଣ୍ଡ ଉପରେ ପରୀକ୍ଷା ଯୁଦ୍ଧର କଠିନତା କେବଳ ଅଭିଜ୍ଞ ବେଲାଳମାନେ ହିଁ କହିପାରିବେ।
ପୂର୍ବ ଶତ୍ରୁତା ଭୁଲି ଭାଇମାନଙ୍କ ମଧ୍ୟରେ ଶ୍ରଦ୍ଧା ଅନୁପାଳନ ଆବଶ୍ୟକ। ପ୍ରତ୍ୟେକ ଉଭୟ ପ୍ରାର୍ଥତ୍ବ ଓ ଆଧ୍ୟାତ୍ମିକ ବାସ୍ତବତା ପ୍ରତି ମୂଲ୍ୟଦେବା ଦରକାର। ତେବେ ସମସ୍ତେ ଯଦି ଶାସ୍ତ୍ରମତେ ନୈତିକ ଆଚରଣ କରିବେ ଯୁଦ୍ଧ କାହିଁକି ଲାଗିବ ? କିନ୍ତୁ ଭଗବାନ ଯୁଦ୍ଧ ଅବଶ୍ୟମ୍ଭାବୀ କହି କର୍ମଯୋଗ ସହ ଯୋଡ଼ିଦେଲେ। ପୁଣି ଯୁଦ୍ଧ ଭୟଙ୍କର ଆଉ ସେତିକି ଘନଘଟାମୟ ହେଲେ ମହାଯୋଦ୍ଧାଙ୍କ ଚୟନ ହେବ। ନଚେତ ବୀରପ୍ରସବିନୀ ଧରା ଆଉ ବୀରଭୋଗ୍ୟା ବସୁନ୍ଧରା ଉକ୍ତିର ମୂଲ୍ୟ ବା କ’ଣ ରହିବ! ଧର୍ମର ଶୁଭଖୁଣ୍ଟ ପାଇଁ ତ କେତେ ରକ୍ତମାଂସର ଆହୂତି ହେବ। ସୁଦିନ ଆଉ ଦୁର୍ଦ୍ଦିନକୁ ଲାଭ-କ୍ଷତିର ତରାଜୁ ମାପ କରୁ ନ ଥିବା ବ୍ୟକ୍ତିର ପାପ କେତେ ପୁଣ୍ୟ କେତେ? ଜୟ-ପରାଜୟକୁ ନେଇ ଭଗବାନଙ୍କ ମୁଖ ନିଃସୃତ ବାଣୀ- ଧର୍ମଯୁଦ୍ଧ ସର୍ବତ୍ର, ଦାୟିତ୍ୱରୁ ନିବୃତ୍ତ ହେଲେ ତୁମେ ପାପର ଭାଗିଦାର ହେବ। ଯୁଦ୍ଧ ପଲ୍ଲୀରେ ହେଉ ଅବା ଦିଲ୍ଲୀରେ, ସୁଧଖୋର ସାଉକାର ନିଷ୍କପଟ ମଣିଷ ଥାଳିରେ ସବୁଦିନ ଗୋଇଠା ମାରିପାରିବନି।

ଡ. ସାରଦା ପ୍ରସାଦ କର
ଡାକବଙ୍ଗଳା ଛକ, ଭୁବନେଶ୍ୱର
ମୋ : ୮୨୪୯୮୨୭୧୪୮

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।