ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି
ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡ଼ା ରେଞ୍ଜରେ ଏହି ଘଟଣା ଘଟିଥିବାବେଳେ ବନ ବିଭାଗ ଚଢ଼ାଉ କରି ୨ ଜଣ ବନ ଜଗୁଆଳି ଏବଂ ୨ ଜଣ ଶିକାରୀଙ୍କୁ କାବୁ କରିଛି।
ସୂଚନା ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ବନ ବିଭାଗର ଏକ ଟିମ୍ ଟିକରପଡ଼ା ରେଞ୍ଜରେ ଚଢ଼ାଉ କରିଥିଲା। ସେଠାରେ ଚାରିଜଣ ବ୍ୟକ୍ତି ହରିଣ ମାଂସ ରାନ୍ଧି ଖାଉଥିବା ବେଳେ ସେମାନଙ୍କୁ ଧରାଯାଇଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରେ ୨ ଜଣ ବନ ଜଗୁଆଳି ଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି।
ଘଟଣାସ୍ଥଳରୁ ରନ୍ଧା ହରିଣ ମାଂସ ସହ ମୃତ ହରିଣର ମୁଣ୍ଡ ଜବତ କରାଯାଇଛି। ଏହାସହ ଶିକାରରେ ବ୍ୟବହୃତ ସାମଗ୍ରୀ ଥିବା ସନ୍ଦେହରେ କିଛି ଜିନିଷ ମଧ୍ୟ ଜବତ କରାଯାଇଛି। ଜବତ ସାମଗ୍ରୀକୁ ଯାଞ୍ଚ କରି ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି।
ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ପଚରାଉଚରା କରାଯାଉଛି। ହରିଣ ଶିକାରରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହା ପଛରେ କୌଣସି ସଂଗଠିତ ଶିକାରୀ ଚକ୍ର କାର୍ଯ୍ୟ କରୁଛି କି ନାହିଁ, ସେ ନେଇ ମଧ୍ୟ ବନ ବିଭାଗ ଛାନଭିନ୍ ଜାରି ରଖିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଏଭଳି କାର୍ଯ୍ୟକଳାପ ସାମ୍ନାକୁ ଆସିବା ପରେ ବନ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
Dharitri – Odisha’s No.1 Odia Daily
The post ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି appeared first on Dharitri Odia News.