ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍ ପର୍ଯ୍ୟନ୍ତ ଯିବାକୁ…
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ନିୟମିତ ଭାବରେ ତାଙ୍କ ପ୍ରଶଂସକଙ୍କ ସହିତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ ଶେୟାର କରୁଛନ୍ତି। ସେ ଏବେ ତାଙ୍କ ଗର୍ଭଧାରଣର ଶେଷ ପର୍ଯ୍ୟାୟରେ ଅଛନ୍ତି। ଫଳସ୍ବରୂପ ସେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି।
ଦୀପିକା ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଥାର୍ଡ ଟ୍ରାଏମଷ୍ଟରରେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଜଣେ ଗର୍ଭବତୀ ମହିଳା ବାଥରୁମ ଯିବା ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି। କ୍ୟାପସନରେ ଲେଖା ଅଛି, ଗର୍ଭାବସ୍ଥାର ଥାର୍ଡ ଟ୍ରାଏମଷ୍ଟରରେ ରାତିରେ ଉଠିବା ଏବଂ ବାଥରୁମକୁ ଚାଲିକି ଯିବା ଏକ ବଡ଼ ଚ୍ୟାଲେଞ୍ଜ ପରି ଅନୁଭବ ହୁଏ। ତାଙ୍କ ପୋଷ୍ଟ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ, ସେ ମଧ୍ୟ ବାଥରୁମ ଯିବାକୁ କଷ୍ଟକର ପାଉଛନ୍ତି।
ଦୀପିକା ଏବଂ ରଣବୀର ବିବାହର ପାଞ୍ଚ ବର୍ଷ ପରେ ମାତାପିତା ହୋଇଥିଲେ। ୨୦୨୪ରେ ଉଭୟ ଝିଅ ଦୁଆଙ୍କୁ ସ୍ବାଗତ କରିଥିଲେ। ମାତ୍ର ଦେଢ଼ ବର୍ଷ ପରେ, ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଥିଲେ।
ଦୀପିକା ଖୁବ ଶୀଘ୍ର ଶାହରୁଖ ଖାନଙ୍କ ସହ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିଙ୍ଗ୍’ରେ ନଜର ଆସିବେ। ସୁହାନା ଖାନ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ। ଏହା ଏକ ଆକ୍ସନ-ଥ୍ରୀଲର୍, ଯାହା ଡିସେମ୍ବର ୨୪ରେ ମୁକ୍ତିଲାଭ କରିବ। ଏହା ସହିତ, ଦୀପିକା ଅଲ୍ଲୁ ଅର୍ଜୁନଙ୍କ ସହିତ ଚଳଚ୍ଚିତ୍ର ‘ରାକା’ରେ ଦେଖାଯିବେ। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସେ ଅଲ୍ଲୁ ଅର୍ଜୁନଙ୍କ ସହିତ ସ୍କ୍ରିନ ଶେୟାର କରିବେ। ଏହା ବ୍ୟତୀତ ସେ ‘ମହାବତାର’ ଏବଂ ‘ବ୍ରହ୍ମାସ୍ତ୍ର ପାର୍ଟ ୨: ଦେବ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଇପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।