ମଦ ଦୋକାନ ଉଦ୍ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ
ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ ପରେ ସମ୍ପ୍ରତି ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଭାଜପା ରାଜ୍ୟରେ ପୁଣି ମଦ ଦୋକାନ ପାଇଁ ଟେଣ୍ଡର ପ୍ରକ୍ରିୟା କରାଯାଇ ଜିଲାପାଳମାନଙ୍କ ଦ୍ୱାରା ଲଟେରୀ ଉଠାଣ କରାଯାଇଛି। ଏହିକ୍ରମରେ ମାନେଶ୍ୱର ଜାତୀୟ ରାଜପଥ କଡ଼ରେ ନୂତନ ଭାବେ ଖୋଲାଯାଇଥିବା ଏକ ବିଦେଶୀ ମଦ ଦୋକାନକୁ ଜଣେ ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବିଧାୟକ ଫିତା କାଟି ଉଦ୍ଘାଟନ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଏହାକୁ ନେଇ ବିରୋଧୀ କଂଗ୍ରେସ ପକ୍ଷରୁ ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ତଥା ରାଜ୍ୟ ସମ୍ପାଦକ ଦିଲୀପ ଦୁରିଆ ଏକ ପ୍ରେସ୍ ବିବୃତି ଜରିଆରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ନିର୍ବାଚନ ସଭାଗୁଡ଼ିକରେ ଭାଜପା ନେତାମାନେ ରାଜ୍ୟକୁ ନିଶାମୁକ୍ତ କରିବା ପ୍ରସଙ୍ଗ ଉଠାଇ ମହିଳା ଭୋଟରଙ୍କୁ ଆକର୍ଷିତ କରିଥିଲେ। ମାତ୍ର ବର୍ତ୍ତମାନ ରାଜ୍ୟରେ ମଦ ବିକ୍ରି ବୃଦ୍ଧି ପାଇଛି। ଅପରପକ୍ଷେ ଭାଜପା ନେତା ଓ କର୍ମୀମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ମଦ ଦୋକାନରେ ଭାଗୀଦାର ରହୁଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ବୋଲି ରାଜ୍ୟ ସମ୍ପାଦକ ଦୁରିଆ କହିଛନ୍ତି। ଅନ୍ୟପକ୍ଷେ ନେଇ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକଙ୍କୁ ପଚାରିବାରେ ଦୋକାନର ଗୃହ ପ୍ରବେଶ କାର୍ଯ୍ୟକ୍ରମ ଥିଲା। ଜନ ପ୍ରତିନିଧି ଭାବେ ଯୋଗ ଦେଇଥିଲି। କିନ୍ତୁ ଏ ନେଇ କଂଗ୍ରେସର ପ୍ରତିକ୍ରୀୟା ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।