ହାରିଯାଇଥିବା ଲୋକ
ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ ଦୁର୍ଯ୍ୟୋଧନଙ୍କୁ ଛାଡି ନ ଥିଲେ। ଶ୍ରୀକୃଷ୍ଣ ଓ କର୍ଣ୍ଣଙ୍କ ବନ୍ଧୁତା ଯୁଗ ଯୁଗ ଧରି ଦୃଷ୍ଟାନ୍ତ ହୋଇ ରହିବ। କେବଳ ସଫଳତାକୁ ଦେଖୁଥିବା ଓ ସଫଳ ବ୍ୟକ୍ତିର ପକ୍ଷରେ ରହୁଥିବା ଦୁନିଆକୁ ବେଳେ ବେଳେ ସଫଳତା ବ୍ୟତୀତ ଆଉ କିଛି ବି ଦେଖା ଯାଇ ନ ଥାଏ। ଏଭଳି ଦୁନିଆ ଆଖିରେ ବିଫଳ ମଣିଷର କୌଣସି ମୂଲ୍ୟ ନ ଥାଏ। ସଫଳ ମଣିଷଟି ବିଫଳ ହେଲେ ଏଭଳି ଦୁନିଆ ତା’ର ହାତ ଛାଡି ଦେଇଥାଏ। କପଟତାରେ ବି ପଶା ଖେଳ ଜିତା ଯାଇପାରେ। ହେଲେ ଭଗବାନ ଜାଣିଥାନ୍ତି ପରାଜିତ ମଣିଷଟିଏ କେତେ ନୀରବତାରେ କେତେ ବଡ଼ ଲଢ଼େଇ ଲଢୁଥାଏ। ଯେମିତି ପାଣ୍ଡବ ବନବାସରେ ମହାଭାରତ ପାଇଁ ପ୍ରସ୍ତୁତ ହେଉଥିଲେ। ସମସ୍ତଙ୍କୁ କେବଳ ପରିଣାମ ଆବଶ୍ୟକ। ହେଲେ ଏହା କାହାକୁ ଜଣା ନ ଥାଏ, ସେ ପରିଣାମ ପଛରେ କେତେ ପରିଶ୍ରମ ଲୁଚି ରହିଥାଏ। କେତେ ରାତି ଅନିଦ୍ରା ହୋଇ କେତେ ଲୁହ ନିଗାଡିବାକୁ ପଡ଼େ। ହେଲେ ମନେ ରଖ ସତ୍କର୍ମର ପରିଧିରେ କରାଯାଉଥିବା ପରିଶ୍ରମ କିମ୍ବା ଉଦ୍ୟମ କେବେ ବୃଥା ଯାଇ ନ ଥାଏ। ଆଉ ଧୈର୍ଯ୍ୟ କେବେ ଖାଲି ହାତରେ ଫେରି ନ ଥାଏ। ଯେଉଁ ମଣିଷ କେବଳ ଧର୍ମର ପକ୍ଷରେ ଥାଇ ସଚ୍ଚା ହୃଦୟରେ ପ୍ରଚେଷ୍ଟା ଜାରି ରଖେ, ତା’ର ଡାକ ସର୍ବଶକ୍ତିମାନ ଭଗବାନଙ୍କ ନିକଟରେ ନିଶ୍ଚୟ ପହଞ୍ଚତ୍ ଥାଏ। ଏହି ପ୍ରକ୍ରିୟାରେ ତୁମେ ଥକ୍କି ପଡିଲେ ବି ଭଗବାନ ଦେଖିଥାନ୍ତି ତୁମେ କେତେ ଯତ୍ନର ସହ ନିଜକୁ ଭାଙ୍ଗି ପଡିବାରୁ ବଞ୍ଚାଇ ରଖି ପାରିଛ। ଦିନେ ତୁମର କର୍ମ ହିଁ ତୁମର ପରିଚୟ ହେବ।
ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ କାରାଗାରରେ ହେଲା। ଆଉ କିଏ କାରାଗାରରେ ଜନ୍ମ ହୋଇଥିଲେ ନିଜର ଭାଗ୍ୟକୁ ନିନ୍ଦିଥାନ୍ତା। ଶ୍ରୀକୃଷ୍ଣଙ୍କ ମାମୁ ତାଙ୍କୁ ମାରିବାକୁ ଚାହଁୁଥିଲେ। ଶ୍ରୀକୃଷ୍ଣ ଜନ୍ମ ହେବା ପରଠାରୁ ନିଜ ମାମୁ ତାଙ୍କ ଜୀବନର ବଡ଼ ଶତ୍ରୁ ହୋଇଗଲେ। ଶିଶୁ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ଗୋଟିଏ ପରେ ଗୋଟିଏ ରାକ୍ଷାସକୁ ମାମୁ ପଠାଉଥିଲେ। ମାମୁ କଂସର ଦାଉ ପାଇଁ ଶ୍ରୀକୃଷ୍ଣଙ୍କୁ ଜନ୍ମରୁ ବଞ୍ଚତ୍ବାକୁ ସଂଘର୍ଷ କରିବାକୁ ପଡିଲା। କାରାଗାରରେ ଜନ୍ମ ହୋଇ ଗାଇ ଚରାଇବା ସ୍ତରରୁ ଉଠିଥିବା ପିଲାଟି ଜୀବନରେ କେଉଁଠି ପହଞ୍ଚତ୍ ଗଲା। ଏହି ପିଲା ମହାଭାରତ ଯୁଦ୍ଧ ପଡିଆରେ ଦୁନିଆକୁ ‘ଗୀତା’ ଭଳି ଅମୂଲ୍ୟ ସମ୍ପଦ ଦେଇଗଲେ। ଭଗବାନ ଶ୍ରୀକୃଷ୍ଣ ଗୋଟିଏ କଥା ଏ ଜଗତକୁ ଶିଖାଇ ଯାଇଛନ୍ତି। ତାହା ହେଉଛି ଜୀବନରେ କେବେ ବି କାନ୍ଦିବା ନାହିଁ। ଶ୍ରୀକୃଷ୍ଣଙ୍କ ଜୀବନରେ ଯେତେ ଦୁଃଖ ପଡିଲେ ବି ସେ କେବେ କାନ୍ଦି ନାହାନ୍ତି।
ଦିନେ ଶ୍ରୀକୃଷ୍ଣଙ୍କୁ କର୍ଣ୍ଣ କହିଲେ- ହେ ବାସୁଦେବ, ମୋ ସହ ଜୀବନରେ ବହୁତ ଦୁଃଖ ଆସିଛି। ମୋତେ ଶୂଦ୍ର ପୁତ୍ର କୁହାଗଲା। ମୋ ଗୁରୁ ମୋତେ ବିଦ୍ୟା ଦେବାକୁ ମନାକଲେ। ମୋର କ’ଣ ଅପରାଧ ଥିଲା ବୋଲି କହି କର୍ଣ୍ଣ କାନ୍ଦି ପକାଇ ଥିଲେ। ଶ୍ରକୃଷ୍ଣ କହିଥିଲେ ତୁମେ କାହିଁକି କାନ୍ଦୁଛ। ମୋର ଦୁଃଖ ଶୁଣ କହି, ନିଜର ଦୁଃଖ କହିଥିଲେ। ହେଲେ ତମ ଓ ମୋ ଭିତରେ ଗୋଟିଏ ଫରକ ରହିଛି। ତୁମେ ଜୀବନର ପଛକୁ ସବୁବେଳେ ଚାହଁୁଛ ଓ ଭାବୁଛ। ମଁୁ ଆଗକୁ ସବୁବେଳେ ଦେଖେ। ଜୀବନରେ କାନ୍ଦିବାର ନାହିଁ। ଜୀବନରେ ଯାହା ଅଛି ତାହା ମୋ ପାଇଁ ଅଛି। ନିଜ ଜୀବନରେ ଯାହା ଅଛି ତାକୁ ନେଇ ବଞ୍ଚୁଥିବା ଓ ଲଢୁଥିବା ଲୋକ ଆଗକୁ ବଢିବ। ପଛକୁ ଭାବୁଥିବା ଲୋକ ପଛକୁ ଯିବ। ଶ୍ରୀକୃଷ୍ଣଙ୍କୁ ‘ରଣଛଡ଼ା ବା ପଳାୟନପନ୍ଥୀ’ ବି କୁହାଯାଇଛି। ଜୀବନର ଗୋଟିଏ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କୁ ଆଗକୁ ବଢ଼ିବା ପାଇଁ ପଛକୁ ଫେରିବାକୁ ପଡିଥିଲା। ଅହଂକାର ମଣିଷକୁ ଧୀରେ ଧୀରେ ରସାତଳକୁ ନେଇଯାଏ। ବିଜୟୀ ଲୋକ ପାଖରେ ଏହି ଅହଂକାର ଆସିଗଲେ ଏହା ସର୍ବନାଶର ବାଟ ଫିଟାଇ ଦିଏ। ଯିଏ ଆଜି ନିଜ ସୁଯୋଗ କିମ୍ବା ବିଜୟ ପାଇଁ ଅହଂକାର କରୁଛି, ଆସନ୍ତା ସମୟ ତାକୁ ତା’ର ଅସଲ ରୂପ ଦେଖାଇ ଦିଏ। କାରଣ ସମୟଠାରୁ ବଡ଼ କୌଣସି ଶିକ୍ଷକ ନାହିଁ ଏବଂ କର୍ମଠାରୁ ବଡ଼ କିଛି ପରିଚୟ ନାହିଁ। ତଥାପି ହାରିଯାଇଥିବା ଲୋକଟି ପାଇଁ ଅକ୍ଷୟ ମହାନ୍ତିଙ୍କ ଶେଷଗୀତର ସେଇ ପଦିକ ବେଳେ ବେଳେ ଭାବପ୍ରବଣ କରି ପକାଏ। ତାହା ହେଉଛି- ହାରି ଯାଇଥିବା ଲୋକର କି ଅଛି ଜିଇଲେ ଜିଇଲା ନ ହେଲେ ନାହିଁ।
ସତୀଶ ବିଶ୍ୱାଳ
ଯାଜପୁର
ମୋ:୯୪୩୭୦୧୯୧୧୭
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।