ମଣ୍ଡିରୁ ଧାନ ଉଠାଅ, ଚାଷୀଙ୍କୁ ପ୍ରାପ୍ୟ ଦିଅ: ଦାବି ପୂରଣ ନ ହେଲେ ଆନ୍ଦୋଳନ
ବରଗଡ଼,ପ୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମାସ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଅସମାହିତ ରହିଛି। ଟୋକନ ତ୍ରୁଟି ଯୋଗୁ ଜିଲାର ଅନେକ ଚାଷୀ ସେମାନଙ୍କ ଅମଳ ଧାନ ବିକ୍ରି କରିପାରିନାହାନ୍ତି। ସେହିପରି ଟୋକନ ଆଧାରରେ ମଣ୍ଡିକୁ ଅନେକ ଧାନ ନେଇଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ ଉଠିପାରିନାହିଁ। ଅନ୍ୟପଟେ ବର୍ଷା ଲାଗି ରହିଥିବା ଯୋଗୁ ବରପାଲି ବ୍ଳକର ତୁଲଣ୍ଡି ଭଳି ମଣ୍ଡିରେ ଗଜା ହୋଇ ଗଲାଣି। କେବଳ ଚାଷୀଙ୍କ ଚକ୍ଷୁ ସ୍କାନ୍ କରାଯାଇ ମଣ୍ଡିରେ ପଡ଼ି ରହିଥିବା ସେହି ଧାନକୁ କାଗଜ କଲମରେ କିଣାଯାଇଥିବା କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଚାଷୀମାନଙ୍କୁ ସେମାନଙ୍କ ବିକ୍ରିଧାନର ପ୍ରାପ୍ୟରାଶି ମିଳିପାରିନାହିଁ। ଆସନ୍ତା ସୋମବାର ସୁଦ୍ଧା ସେହି ଚାଷୀମାନଙ୍କୁ ବିକ୍ରିଧାନର ପ୍ରାପ୍ୟରାଶି ନ ମିଳିଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟହେବେ ବୋଲି ଶୁକ୍ରବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଂଯୁକ୍ତ କୃଷକ ସଙ୍ଗଠନ ଚେତାବନୀ ଦେଇଛି।
ଖବରଦାତା ସମ୍ମିଳନୀରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ସୂଚନା ଦେଇ କହିଥିଲେ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ବରଗଡ଼ ଗସ୍ତରେ ଆସିଲେ ତାଙ୍କୁ ୧୨ଦଫା ପ୍ରସ୍ତାବ ସମ୍ବଳିତ ସ୍ମାରକପତ୍ର ଦେବା ପାଇଁ ସଙ୍ଗଠନ ନିଷ୍ପତ୍ତି ନେଇଥିଲା। ମାତ୍ର ଶାହାଙ୍କ ଗସ୍ତ ବାତିଲ୍ ହୋଇଥିବା ଯୋଗୁ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଜରିଆରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନିକଟକୁ ସେହି ସ୍ମାରକପତ୍ର ପଠାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଶୁକ୍ରବାର ଜିଲାପାଳ ଗୋୟଲଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସ୍ମାରକପତ୍ରରେ ଇଥାନଲ ପ୍ରକଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମକୁ ସ୍ବାଗତ କରାଯାଇଛି। ଅନ୍ୟପଟେ ଜିଲାର ଚାଷ ଏବଂ ଚାଷୀଙ୍କ ହିତ ପାଇଁ ୧୨ଦଫା ପ୍ରସ୍ତାବ ଦିଆଯାଇଛି। ବରଗଡ଼ ଧାନଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି, ମାତ୍ର ଏଠାରେ ତୈଳଜାତୀୟ ଫସଲ ପାଇଁ କାହିଁକି ନୀତି ଅଣାଯାଉଛି ବୋଲି ସଙ୍ଗଠନ ପ୍ରଶ୍ନ କରିଛି। ସେହିପରି ପୁରୁଣା ପାକ୍ସର ପୁନରୁଦ୍ଧାର ଏବଂ ନୂତନ ପାକ୍ସକୁ ଶକ୍ତିଶାଳୀ କରାଯିବା, ଧାନବିକ୍ରି ଟୋକନରୁ ବଞ୍ଚିତ ୫ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଟୋକନ ପ୍ରଦାନ ସହିତ ସେମାନଙ୍କ ଧାନ କିଣାଯିବା, ଧାନକିଣାରେ କେନ୍ଦ୍ରୀକରଣ ବ୍ୟବସ୍ଥା ବଦଳରେ ଜିଲାକୁ କ୍ଷମତା ପ୍ରଦାନ, ସୁଲଭ ମୂଲ୍ୟରେ ସାର ଓ କୀଟନାଶକ ଯୋଗାଇବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଓ ଗୋଦାମ ଗୃହ ନିର୍ମାଣ, ସୋସାଇଟି ଓ କୃଷକଙ୍କ ମଧ୍ୟରେ ସମନ୍ବୟ ରକ୍ଷା, ଚାଷୀମାନଙ୍କୁ ନିଃଶୁଳ୍କ ୫ଲକ୍ଷ ଟଙ୍କା ଲେଖାଏଁ କୃଷିଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ କମ୍ପାନୀ ବଦଳରେ ସରକାର ନିଜେ ପରିଚାଳନା କରିବା, ସାଟେଲାଇଟ୍ ପରିବର୍ତ୍ତେ ସରଜମିନ ତଦନ୍ତକୁ ଗୁରୁତ୍ୱ ଦିଆଯିବାକୁ ସଙ୍ଗଠନ ଦାବି କରିଛି। ଏହାସହିତ ଜିଲାରେ କୃଷିଭିତ୍ତିକ ଶିଳ୍ପ ନିର୍ମାଣ, ଜଳସେଚନ ବୃଦ୍ଧି, ଆଧୁନିକ ଚାଷ, କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ଔଷଧ ଉଦ୍ୟାନ ଏବଂ ବରଗଡ଼କୁ କୃଷିଜିଲା ଘୋଷଣା କରିବା ପାଇଁ ସଂଯୁକ୍ତ କୃଷକ ସଙ୍ଗଠନ ସ୍ମାରକପତ୍ରରେ ସ୍ବରାଷ୍ଟ୍ର୍ର ମନ୍ତ୍ରୀ ଶାହାଙ୍କୁ ପ୍ରସ୍ତାବ ଦେଇଛି।
ସେହିପରି ଜିଲାର ଧାନବିକ୍ରି ସମସ୍ୟା ନେଇ ସୂଚନା ଦେଇ ମହାପାତ୍ର କହିଥିଲେ, ଜିଲାରେ ରବିଧାନ ସଂଗ୍ରହ ପ୍ରକିୟା କେବଳ ଜଟିଳ ନୁହେଁ, ବିଫଳ ମଧ୍ୟ ହୋଇଛି। ଜିଲାର ଅନେକ ମଣ୍ଡିରେ ଏବେ ମଧ୍ୟ ଖୋଲା ଆକାଶତଳେ ଧାନ ପଡ଼ି ରହିଛି। ଅତାବିରା ଆର୍ଏମ୍ସି ଅଧୀନ ଅତାବିରା ମଣ୍ଡିରେ ୨୦ହଜାର, ଅରେଇଗୁଡ଼ିରେ ୧୮ହଜାର, ବସେକେଲାରେ ୧୩ହଜାର, ରେଶମରେ ୨୪ହଜାର, ସାହ୍ଲେପାଲିରେ ୨୦ହଜାର, ତେନ୍ତୁଲିଟିକ୍ରାରେ ୪୫ହଜାର ବସ୍ତା ଧାନ ପଡିଥିବାବେଳେ ପଦ୍ମପୁର ଆର୍ଏମ୍ସି ଅଧୀନ ଜାମସେଠରେ ୪୯ହଜାର, ପାଇକମାଳରେ ୬୨ହଜାର ଏବଂ ବରଗଡ଼ ଆର୍ଏମ୍ସି ଅଧୀନ ତୁଲଣ୍ଡିରେ ୨୫ହଜାର, କୁମ୍ଭାରୀ ମଣ୍ଡିରେ ୨୫ହଜାର ପ୍ୟାକେଟ୍ ଧାନ ପଡ଼ିରହିଛି। ଏହିସବୁ ଧାନ କିଣାଯାଇଥିବା କୁହାଯାଉଛି, ମାତ୍ର ରାଇସ୍ ମିଲକୁ ଯାଇନାହିଁ କିମ୍ବା ଚାଷୀଙ୍କୁ ବିକ୍ରିଧାନର ପ୍ରାପ୍ୟରାଶି ମଧ୍ୟ ମିଳିନାହିଁ। ତେବେ ଉକ୍ତ ଧାନ ବର୍ଷାରେ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କ ହିଁ କ୍ଷତି ହେବ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ମହାପାତ୍ର ଚେତାବନୀ ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସଂଯୁକ୍ତ କୃଷକ ସଙ୍ଗଠନର ଉପତ୍ନ୍ନ ଭୋଇ, ଅଜିତ ଶତପଥୀ, ନିରଞ୍ଜନ ପ୍ରଧାନ, ସୁଦାମ ପାତ୍ର, ସୁରେଶ ନେକାଣ୍ଟି, କିଶୋର ସାହୁ, ଗନ୍ଧମାର୍ଦ୍ଧନ ଯୁବ ପରିଷଦର ପୂର୍ବତନ ଆବାହକ ରାଜକୁମାର ସେଟ ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
The post ମଣ୍ଡିରୁ ଧାନ ଉଠାଅ, ଚାଷୀଙ୍କୁ ପ୍ରାପ୍ୟ ଦିଅ: ଦାବି ପୂରଣ ନ ହେଲେ ଆନ୍ଦୋଳନ appeared first on Dharitri Odia News.