ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୩ା୮: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ।
କାର୍ଯ୍ୟକ୍ରମ ଅନୁସାରେ, ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଲୋକଭବନରେ ପହଞ୍ଚି କିଛି ସମୟ ବିତାଇବେ ରାଷ୍ଟ୍ରପତି । ଏହାପରେ ସଡ଼କ ପଥରେ ଯାଇ କଟକ ଜିଲା ବାଆଁରା ନିକଟ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଶୁଭ ଉଦ୍ଘାଟନ କରିବେ। ୪ ତାରିଖ ସକାଳେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେଶନରୁ ଟ୍ରେନରେ ବ୍ରହ୍ମପୁରରେ ପହଞ୍ଚିବା ପରେ ସଡ଼କପଥରେ ଗଞ୍ଜାମ ଜିଲାର ତପ୍ତପାଣି ଯାଇ ମା’ କନ୍ଧୁଣୀଦେବୀ ପୀଠରେ ଦର୍ଶନ, ଆଳତି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ। ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ର ରହଣି ସହ ବ୍ରହ୍ମପୁର-ଗୋପାଳପୁରସ୍ଥିତ ଧବଳେଶ୍ୱର ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ୫ ତାରିଖରେ ରାଷ୍ଟ୍ରପତି ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବା ପରେ ସ୍ବତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
ତେବେ ବ୍ଲ୍ୟୁ-ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ପାଇଁ ୩ରୁ ୫ ତାରିଖ ଯାଏ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।