‘ଭୀଷଣ ପାଣିପାଗ’ ସଙ୍କଟ ବଢ଼ିବ: ଡବ୍ଲ୍ୟୁଏମ୍ଓର ଚେତାବନୀ ଜାରି
ନୂଆଦିଲ୍ଲୀ,୪ା୭(ପି.ଟି.)ପ୍ରଶାନ୍ତ ମହସାଗର ଉପରିଭାଗରେ ସୃଷ୍ଟ ଏଲ୍ ନିନୋ ସ୍ଥିତି ଆଗାମୀ ମାସରେ ଦ୍ରୁତ ବେଗରେ ଶକ୍ତିଶାଳୀ ହେବା ଆଶଙ୍କା କରାଯାଉଛି। ଫଳରେ ଏହା ବିଶ୍ୱର ବିଭିନ୍ନ ଭାଗରେ ଗ୍ରୀଷ୍ମ ଲହର ସୃଷ୍ଟି କରିବା ସହ ଅନାବୃଷ୍ଟି, ଅତ୍ୟଧିକ ବୃଷ୍ଟି ଏବଂ ଅନ୍ୟାନ୍ୟ ଭୀଷଣ ପାଗଜନିତ ବିପଦ ବଢ଼ାଇବ ବୋଲି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏଲ୍ ନିନୋ ଦ୍ରୁତ ଗତିରେ ଶକ୍ତିଶାଳୀ ହୋଇଯିବ ବୋଲି ଡବ୍ଲ୍ୟୁଏମ୍ଓ ପକ୍ଷରୁ ଜାରି ମାସିକ ଜଳବାୟୁ ସୂଚନାରୁ ଜଣାପଡ଼ିଛି।
ଏଲ୍ ନିନୋ ସଦର୍ନ ଅସ୍କିଲେଶନ (ଇଏନ୍ଏସ୍ଓ)ର ୩ ପର୍ଯ୍ୟାୟ ମଧ୍ୟରୁ ଏଲ୍ ନିନୋ ଅନ୍ୟତମ। ଏହା ଏକ ଜଳବାୟୁ ପରିବର୍ତ୍ତନ, ଯେଉଁଥିରେ ପ୍ରଶାନ୍ତ ମହାସାଗରର କେନ୍ଦ୍ର ଓ ପୂର୍ବ ଭାଗରେ ସମୁଦ୍ର ଉପରିଭାଗର ଜଳ ସାଧାରଣ ଅପେକ୍ଷା ଅଧିକ ଗରମ ହୋଇଥାଏ। ଫଳରେ ଏହା ବାୟୁମଣ୍ଡଳରେ ପରିବର୍ତ୍ତନ ଆଣିଥାଏ। ଏଲ୍ ନିନୋ ପୃଥିବୀ ଉପରେ ଉତ୍ତପ୍ତ ପ୍ରଭାବ ପକାଉଥିବାବେଳେ ଏହାର ବିପରୀତରେ ଲା ନିନା ଶୀତଳ ପ୍ରଭାବ ପକାଇଥାଏ। ଇଏନ୍ଏସ୍ଓର ଅନ୍ୟ ଏକ ନିରପେକ୍ଷ ପ୍ରଭାବ ମଧ୍ୟ ରହିଛି।
ଏଲ୍ ନିନୋ ଅବସ୍ଥା ଏବେ ଆରମ୍ଭ ହୋଇଯାଇଛି ଏବଂ ଆଗାମୀ ମାସରେ ଏହା ଦ୍ରୁତ ବେଗରେ ଅତ୍ୟନ୍ତ ଶକ୍ତିଶାଳୀ ହେବାକୁ ଯାଉଥିବା ଡବ୍ଲ୍ୟୁଏମ୍ଓ ମହିାସଚିବ ସେଲେଷ୍ଟ ସାଉଲୋ କହିଛନ୍ତି। ଡବ୍ଲ୍ୟୁଏମ୍ଓର ପୂର୍ବାନୁମାନ ଅନୁଯାୟୀ ଏହା ଭୀଷଣ ପାଣିପାଗଜନିତ ବିପଦ ବଢ଼ାଇବ। ଏହାଦ୍ୱାରା କେତେକ ଅଞ୍ଚଳରେ ଅନାବୃଷ୍ଟି ହେବାକୁ ଥିବାବେଳେ ଅନ୍ୟ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ବନ୍ୟା ଆସିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇବ। ସେହିପରି ବହୁତ ଅଞ୍ଚଳରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଲାଗିରହିବ।
ଏଲ୍ ନିନୋ ସ୍ଥିତି ଆରମ୍ଭ ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଗତ ମାସ ୧୨ ତାରିଖରେ ଘୋଷଣା କରିଥିଲା। ମୌସୁମୀ ଋତୁରେ ଏହା ଅଧିକ ସକ୍ରିୟ ହେବ ବୋଲି କୁହାଯାଇଥିଲା। ଏଲ୍ ନିନୋ ଯୋଗୁ ଭାରତରେ କମ୍ ବର୍ଷା ହୋଇଥାଏ, ଯେଉଁ କାରଣରୁ ଜୁନ୍ ମାସରେ ବୃଷ୍ଟିପାତ ପ୍ରାୟ ୪୦ ପ୍ରତିଶତ କମ୍ ରହିଥିଲା। କେନ୍ଦ୍ରୀୟ ଭାରତରେ ବୃଷ୍ଟିପାତ ପରିମାଣ ୫୦.୪ ପ୍ରତିଶତ କମ୍ ରହିଥିଲା। ଜୁଲାଇରେ ହାରାହାରି ବୃଷ୍ଟିପାତ ସ୍ବାଭାବିକଠାରୁ କମ୍ ରହିବ ବୋଲି ଗତ ୩ ତାରିଖରେ ଆଇଏମ୍ଡି ପୂର୍ବାନୁମାନ କରିଥିଲା। ଜୁଲାଇ ମାସରେ ହାରାହାରି ୨୮୦.୪ ମିଲିମିଟର ବର୍ଷା ହେଉଥିବାବେଳେ ଏଥର ତାହାର ୯୪ ପ୍ରତିଶତ ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ କହିଛି।
Dharitri – Odisha’s No.1 Odia Daily
The post ‘ଭୀଷଣ ପାଣିପାଗ’ ସଙ୍କଟ ବଢ଼ିବ: ଡବ୍ଲ୍ୟୁଏମ୍ଓର ଚେତାବନୀ ଜାରି appeared first on Dharitri Odia News.