ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ
ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବା ପ୍ରୟାସ କରାଯାଉଥିଲା। ତେବେ କୁମିଆପାଲି ଗାଁର ଆଦିବାସୀମାନେ ମିଳିତ ପ୍ରତିବାଦ କରିବାରୁ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଛି। ତହସିଲଦାର, ଲୋୟର ସୁକ୍ତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ସଦର ଏସଡିପିଓ, ଅଧୀକ୍ଷଣ ଯନ୍ତ୍ରୀ, ସଦର ଆଇଆଇସି, ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ପୋଲିସ ଉପସ୍ଥିତିରେ ଜେସିବି ମେଶିନ ଧରି ଗାଁରେ ରହିଛନ୍ତି । ଅନ୍ୟପଟେ ଗାଁ ଆଦିବାସୀ ପରମ୍ପରା ଅନୁଯାୟୀ ଅସ୍ତ୍ରଶସ୍ତ୍ର ଧରି ପୂଜା ଅର୍ଚ୍ଚନା କରି ମଣ୍ଡପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମହିଳା ଓ ପୁରୁଷମାନେ ଗାଁ ନ ଛାଡ଼ିବାକୁ ନିଷ୍ପତ୍ତି ନେଇ ରାମଜୀ ମଣ୍ଡପରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଦାବିପୂରଣ ନ ହେବାଯାଏ କୁମିଆପାଲି ଗାଁର ୮୪ ଆଦିବାସୀ ପରିବାର ଭିଟାମାଟି ଛାଡିବେ ନାହିଁ ବୋଲି ଜିଲା ପ୍ରଶାସନକୁ ରୋକଠୋକ ଜଣାଇଛନ୍ତି । ଜିଲା ପ୍ରଶାସନ ଦାବି ପୂରଣ ନ କରି ବିସ୍ଥାପନ କରିବାକୁ ଆସିଥିବାରୁ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ। ଉଚିତ୍ କ୍ଷତିପୂରଣ ଏବଂ ଥଇଥାନ ବ୍ୟବସ୍ଥା ନ କରି ବର୍ଷାଦିନରେ ଆଦିବାସୀ ପରିବାର ବର୍ଗଙ୍କୁ ପୋଲିସ ଫୋର୍ସ ଲଗାଇ ଜବରଦସ୍ତି ବିସ୍ଥାପିତ କରିବା ଅନ୍ୟାୟ ବୋଲି ଗ୍ରାମବାସୀ କହିଥିଲେ। ସରକାରୀ ଅଧିକାରୀ ମାନେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଆଲୋଚନା ସଫଳ ହୋଇନାହିଁ । ଲୋୟର ସୁକ୍ତେଲ ପ୍ରକଳ୍ପ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁକ୍ତେଲ ଜଳଭଣ୍ଡାରରେ ଦ୍ରୁତ ଗତିରେ ଜଳସ୍ତର ବଢ଼ୁଛି। ଜଳସ୍ତର ପ୍ରାୟ ୧୯୯ ମିଟରକୁ ଛୁଇଁଲାଣି । ଜଳସ୍ତର ୨୦୦ ମିଟର ଛୁଇଁଲେ କୁମିଆପାଲି ଗାଁ ଭିତରକୁ ପାଣି ମାଡିଆସିବ। ସଦର ଏସ୍ଡିପିଓ ସରୋଜ ଉପାଧ୍ୟାୟ, ସଦର ଥାନା ଆଇଆଇସି ରାଜକୁମାର ବିଶ୍ବାଳ, ଅନ୍ୟ ସବଇନ୍ସପେକ୍ଟରଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।