ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ
ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ ଭାରୋତ୍ତୋଳକ ଶିବା ରାଓ ଚମତ୍କାର ସଫଳତା ହାସଲ କରିଛନ୍ତି। ୧୨ ଓ ୧୪ ବର୍ଷରୁ କମ ବାଳକ ବାଳିକା ବର୍ଗକୁ ନେଇ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶିବା ୪୫ କେଜି ବର୍ଗରେ ଅଂଶଗ୍ରହଣ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର ଶିବାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟର ଛାତ୍ରୀଛାତ୍ର, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି।
ଶିବା ଭଞ୍ଜନଗର ଇନ୍ଡୋର ଷ୍ଟାଡିୟମର କୋଚ ପିଙ୍କି ପାଣିଗ୍ରାହୀଙ୍କ ଠାରୁ ନିୟମିତ ଭାବେ ଭାରୋତ୍ତଳନ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ଅଭ୍ୟାସ ସମୟରେ ତାଙ୍କର ନିଷ୍ଠା, ପରିଶ୍ରମ ଓ ଉତ୍ସାହ ତାଙ୍କୁ ଏହି ସଫଳତା ଆଣିଦେଇଛି। ଶିବାଙ୍କ ମଧ୍ୟରେ ଉତ୍ତମ ପ୍ରତିଭା ରହିଥିବା ବେଳେ ଭବିଷ୍ୟତରେ ସେ ଭାରୋତ୍ତଳନ କ୍ଷେତ୍ରରେ ଆହୁରି ବଡ଼ ସଫଳତା ହାସଲ କରିବେ ବୋଲି କୋଚ ପିଙ୍କି ପାଣିଗ୍ରାହୀ ଆଶାବ୍ୟକ୍ତ କରିଛନ୍ତି।
ଶିବାଙ୍କ ଏହି ସଫଳତା ଭଞ୍ଜନଗର ଅଞ୍ଚଳର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରେରଣା ଯୋଗାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।