ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ
ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି ଦିବ୍ୟ ବେଶରେ ଦର୍ଶନ କରି ସହରର ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇପଡ଼ିଥିଲେ।
ଶନିବାର ମଧ୍ୟାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିସଖୁଡ଼ି ଭୋଗ ଲାଗି କରାଯିବା ପରେ ଦିନ ୨ଟାରୁ ସେବାୟତମାନେ ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ବିଭିନ୍ନ ରତ୍ନଅଳଙ୍କାର ଓ ସାମଗ୍ରୀ ରଥ ଉପରକୁ ଆଣିଥିଲେ। ରଥ ଉପରେ ସେବାୟତମାନେ ଶ୍ରୀଜିଉମାନଙ୍କୁ ସୁନାବେଶ ସଜ୍ଜିତ କରିଥିବା ଦୃଶ୍ୟ ଦେଖିବାକୁ ବଡ଼ଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଅପରାହ୍ନ ସାଢ଼େ ୪ଟାରେ ପୂର୍ଣ୍ଣ ସୁନାବେଶ ନୀତି ସମ୍ପନ୍ନ ହେବା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଏହି ସୁବର୍ଣ୍ଣ ରୂପ ଦର୍ଶନ କରିକୃତାର୍ଥ ହୋଇଥିଲେ।
ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ଅର୍ଥାତ୍ ପବିତ୍ର ହରିଶୟନ ବଡ଼ ଏକାଦଶୀ ତିଥିରେ ଜଗନ୍ନାଥଙ୍କ ଏହି ସୁନାବେଶ ଅନୁଷ୍ଠିତ ହେବା ସହ ଚାତୁର୍ମାସ୍ୟା ବ୍ରତ ଆରମ୍ଭ ହୋଇଛି। ଏହି ଅବସରରେ ମନ୍ଦିରର ପୂଜକ ଅଜୟ ମହାପାତ୍ର ଶ୍ରୀମନ୍ଦିର ଉପରକୁ ମହାଦୀପ ଟେକିଥିଲେ। ରବିବାର ସନ୍ଧ୍ୟାରେ ରଥ ଉପରେ ଅଧରପଣା ନୀତି ସମ୍ପାଦନ ପରେ ଚତୁର୍ଧାମୂର୍ତ୍ତିଙ୍କର ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ରହିଛି।
ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ରଥ ଉପରେ ସୁନାବେଶର ସଫଳ ବ୍ୟବସ୍ଥା ହୋଇଥିବାରୁ ଜିଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଭବାନୀପାଟଣା ଉପଜିଲାପାଳ ପ୍ରଭାତ ପରିଡ଼ା, ଏସ୍ପି ନାଗରାଜ ଦେବରକୋଣ୍ଡା ଏବଂ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓଙ୍କୁ ସହରବାସୀ କୃତଜ୍ଞତା ଜଣାଇଛନ୍ତି।
ଜିଲା ପ୍ରଶାସନ ଓ ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୁନାବେଶର ସିଧାସଳଖ ଧାରାବିବରଣୀ ପ୍ରଦାନ କରାଯାଇଥିଲା, ଯାହାକୁ ସତ୍ୟନାରାୟଣ ମହାପାତ୍ର, ସନ୍ତୋଷ ରଥ, ଡ. ତପନ ରଥ, ବିରଞ୍ଚି ନାରାୟଣ ମୁଣ୍ଡ, ସ୍ନେହଲତା ଷଡ଼ଙ୍ଗୀ ଓ ମିନତୀ କୁମାରୀ ପ୍ରଧାନ ପରିଚାଳନା କରିଥିଲେ। ସେହିପରି ସୁନାବେଶ ଉପଲକ୍ଷେ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଶ୍ରୀଜଗନ୍ନାଥ ଭଜନ ସନ୍ଧ୍ୟାରେ ପ୍ରତିଭା ଅନୁଷ୍ଠିତ ପକ୍ଷରୁ ଭଜନ ପରିବେଷଣ କରାଯାଇ ବାତାବରଣକୁ ଅତି ଭକ୍ତିମୟ କରିିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।