ବ୍ଲେଡ୍ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…
ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍ରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କରିଛନ୍ତି ସ୍ବାମୀ। ହତ୍ୟା କରିବା ପରେ ଅଭିଯୁକ୍ତ ଘରର ବାହାର ପଟୁ ତାଲା ପକାଇ ପଳାଇଥିଲେ। ପରେ କୌଣସି ଉପାୟ ନ ପାଇ ଘରଠାରୁ କିଛି ଦୂରରେ ଥିବା ଏକ ଅଟୋ ଭିତରେ ବସି ଅଭିଯୁକ୍ତ ବିଷ ପିଇ ଦେଇଛନ୍ତି। ପୋଲିସ ତାଙ୍କୁ ଉଦ୍ଧାର କରି ଗିରଫ ସହ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ମୃତ ମହିଳା ହେଲେ ମୋନିକା ଜେନା। ଖବରପାଇ ମଞ୍ଚେଶ୍ୱର ଥାନା ଅଧିକାରୀ, ଜୋନ୍ ଏସିପି ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚତ୍ ଛାନ୍ଭିନ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚତ୍ ବ୍ଲେଡ୍, ଗାମୁଛା ଏବଂ ରକ୍ତ ନମୁନା ସଂଗ୍ରହ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ରଣପୁର ଅଞ୍ଚଳର ପ୍ରଦୀପ ଜେନା।
ପୋଲିସ ସୂଚନା ଅନୁସାରେ, ମୃତା ମୋନିକା ଏବଂ ଅଭିଯୁକ୍ତ ପ୍ରଦୀପଙ୍କ ଘର ରଣପୁରରେ। ୯ ବର୍ଷ ତଳେ ଉଭୟ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କ ଏକ ପୁତ୍ର ସନ୍ତାନ ଅଛି। ବିବାହ ପରଠାରୁ ପ୍ରଦୀପଙ୍କ ପରିବାର ଲୋକ ଅଧିକ ଟଙ୍କା ମାଗିବା ସହ ମୋନିକାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ। ଯେଉଁଥିପାଇଁ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ଏନେଇ ମୋନିକା ନୟାଗଡ଼ ଥାନାରେ ନିର୍ଯାତନା ମାମଲା ରୁଜୁ କରିଥିଲେ। ଏହାପରେ ମୋନିକା କାମ କରିବାକୁ ଚେନ୍ନାଇ ପଳାଇ ଯାଇଥିଲେ। ହେଲେ ପ୍ରଦୀପ ସେଠାକୁ ଯାଇ ମଧ୍ୟ ସ୍ତ୍ରୀଙ୍କୁ ମାରଧର କରୁଥିଲେ। ଫଳରେ ମୋନିକା ଚେନ୍ନାଇରୁ ଫେରି ଆସି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିଲେ। ଅଭିଯୁକ୍ତ ୨ମାସ ତଳେ ମୋନିକା ରହୁଥିବା ଘରକୁ ଆସି ତାଙ୍କୁ ମାଡ଼ ମାରିବା ସହ ତାଙ୍କ ପୁଅକୁ ଛଡ଼ାଇ ନେଇଥିଲେ। ଏନେଇ ମହିଳା ଥାନାରେ ମୋନିକା ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଇତିମଧ୍ୟରେ ସ୍ବାମୀଙ୍କ ନିର୍ଯାତନାରୁ ବର୍ତ୍ତିବାକୁ ମୋନିକା ମଞ୍ଚେଶ୍ୱରରୁ ଚକେଇଶିଆଣିକୁ ଘର ବଦଳାଇ ଦେଇଥିଲେ। ହେଲେ ପ୍ରଦୀପ ୨ ଦିନ ହେବ ମୋନିକା ନେଇଥିବା ଘର ଖୋଜିବା ପାଇଁ ଚକେଇଶିଆଣିରେ ସ୍ତ୍ରୀଙ୍କ ଫଟୋ ଧରି ବୁଲିଥିଲେ। ଶେଷରେ ଲୋକଙ୍କୁ ପଚାରି ମୋନିକା ରହୁଥିବା ଘର ଠାବ କରିଥିଲେ। ହେଲେ ଘରେ ମୋନିକାଙ୍କ ମା’, ଭଉଣୀଭାଇ ରହୁଥିବାରୁ ସେଠାକୁ ପଶି ହତ୍ୟା କରିବା ସହଜ ନ ଥିବା ପ୍ରଦୀପ ଜାଣିଥିଲେ। ତେଣୁ ସେ ସୋମବାର ମଧ୍ୟାହ୍ନ ୧୨ଟାକୁ ଅପେକ୍ଷା କରିଥିଲେ। ମୋନିକାଙ୍କ ମା’ ଓ ଭଉଣୀଭାଇ କାମ କରିବାକୁ ବାହାରକୁ ଯାଇଥିବାବେଳେ ଅଭିଯୁକ୍ତ ଘର ଭିତରକୁ ପଶି କବାଟ ବାଡ଼େଇଥିଲେ। ମୋନିକା କବାଟ ଖୋଲିବା ପରେ ଅଭିଯୁକ୍ତ ଘର ଭିତରକୁ ଜବରଦସ୍ତି ପଶିଥିଲେ। ଘର ଭିତରେ ମୋନିକାଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ପୂର୍ବରୁ ନେଇଥିବା ବ୍ଲେଡରେ ହାତକାଟି ମାରିବାକୁ ହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କ ଭିତରେ ଠେଲା ପେଲା ହେବା ପରେ ଅଭିଯୁକ୍ତ ଏକ ଗାମୁଛା ନେଇ ମୋନିକାଙ୍କ ବେକ ଚାପି ହତ୍ୟା ଉଦ୍ୟମ କରିଥିଲେ। ପରେ ତାଙ୍କ ପାଟିରେ ଅଭିଯୁକ୍ତ ଆଣିଥିବା ବିଷ ପିଆଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ନ ହେବାରୁ ବ୍ଲେଡ୍ରେ ବେକକୁ କାଟି ଦେଇଥିଲେ। ହତ୍ୟା କରିବା ପରେ ଅଭିଯୁକ୍ତ ଏକ ନୂଆ ତାଲା ଆଣି ଘର ବାହାରେ ପକାଇ ପଳାଇଥିଲେ। ପରେ ମୋନିକା ରହୁଥିବା ଘରଠୁ କିଛି ଦୂରରେ ଥିବା ଏକ ଅଟୋରେ ବସି ବିଷ ପିଇ ଦେଇଥିଲେ। ଅପରାହ୍ନ ସାଢେ ୫ଟା ସମୟରେ ମୋନିକାଙ୍କ ମା’ କର୍ମକ୍ଷେତ୍ରରୁ ଫେରିବା ପରେ ଘର ବାହାରେ ନୂଆ ତାଲା ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେ ତାଙ୍କ ପୁଅ ଏବଂ ଝିଅକୁ ଡାକିବା ପରେ ଘରର ତାଲା ଭାଙ୍ଗିଥିଲେ। ଘର ଭିତରେ ଥିବା ଖଟ ଉପରେ ମୋନିକାଙ୍କ ବେକ କଟାଯାଇଥିବା ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବିଷ ପିଇଥିବା ପ୍ରଦୀପଙ୍କୁ ଅଟୋରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।
ସ୍ତ୍ରୀଙ୍କୁ ହତ୍ୟା ପାଇଁ ୩ ଉପାୟ ଆପଣାଇଥିଲେ
ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁସାରେ, ସ୍ତ୍ରୀ ମୋନିକାଙ୍କୁ ହତ୍ୟା କରିବାକୁ ପ୍ରଦୀପ ୩ ପ୍ରକାର ଉପାୟ ଆପଣାଇଥିଲେ। ପ୍ରଥମେ ହାତ କାଟିବାକୁ ଉଦ୍ୟମ କରି ବିଫଳ ହେବା ପରେ ବେକକୁ ବ୍ଲେଡରେ କାଟିବା ସହ ଗାମୁଛାରେ ତଣ୍ଟି ଚାପି ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ମୃତାଙ୍କ ବେକରେ ଗାମୁଛା ଗୁଡ଼ା ଯାଇଥିବା ଦେଖିବାକୁ ମିଳିଛି। ଆହୁରି ମଧ୍ୟ ମୋନିକାଙ୍କୁ ବିଷ ପିଆଇ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ ଅଭିଯୁକ୍ତ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।