ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍
ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଭାରତ ୩୫ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୩-୦ରେ କ୍ଲିନ ସୁଇପ୍ କରିଛି। ଭାରତର ନୂଆ ଅଧିନାୟକ ଶ୍ରେୟସ ଆୟାରଙ୍କ ପାଇଁ ଏହା ପ୍ରଥମ ସିରିଜ୍ ବିଜୟ।
ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଅଭିଷେକ ଶର୍ମା (୨)ଙ୍କ ଉଇକେଟ ହରାଇଥିଲା। ସୂର୍ଯ୍ୟବଂଶୀଙ୍କ ସହ ଇଶାନ କିଶନ ମିଶି ଦଳୀୟ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଦ୍ୱିତୀୟ ଉଇକେଟରେ ୭୫ ରନ ଯୋଡ଼ିବା ପରେ କିଶନ (୨୯ ରନ, ୪ ଚୌକା) ପାଭିଲିଅନ ଫେରିଥିଲେ।
ଏହାପରେ ଅଧିନାୟକ ଶ୍ରେୟସ ଆୟାର (୨୭ ରନ, ୨ ଚୌକା)ଙ୍କ ସହ ସୂର୍ଯ୍ୟବଂଶୀ ଦଳୀୟ ସ୍କୋରକୁ ୧୫୦ ପାଖାପାଖି ପହଞ୍ଚାଇଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ସୂର୍ଯ୍ୟବଂଶୀ ୪୯ ବଲରେ ୮୧ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ଇନିଂସରେ ୮ ଚୌକା ଓ ୪ ଛକା ସାମିଲ ଥିଲା। ଶେଷ ଆଡ଼କୁ ରିଙ୍କୁ ସିଂ ୨୫ (୨ ଚୌକା ଓ ୧ ଛକା) ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୯୨ ରନ କରିଥିଲା।
ଜିମ୍ବାଓ୍ବେ ପକ୍ଷରୁ ବ୍ରାଡ ଇଭାନ୍ସ ୨ ଉଇକେଟ ନେଇଥିଲେ। ଜବାବରେ ଭାରତର ନୈରାଶ୍ୟଜନକ ଫିଲ୍ଡିଂ ସତ୍ତ୍ୱେ ଜିମ୍ବାଓ୍ବେ ୨୦ ଓଭରରେ ୭ ଉଇକେଟ ହରାଇ ୧୫୭ ରନ କରିବାକୁ ସମର୍ଥ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।