ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ
ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ ବସଷ୍ଟାଣ୍ଡ ଜଳାର୍ଣ୍ଣବ ହୋଇ ପଡୁଛି। ଡ୍ରେନେଜ ବ୍ୟବସ୍ଥା ଠିକ ନ ଥିବା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ବସଷ୍ଟାଣ୍ଡ ପରିସରରେ ଲହଡି ମାରୁଛି ଏବଂ ଏଥିପାଇଁ ଯାତ୍ରୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଗୁରୁବାର ସକାଳୁ ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସବୁଦିନ ଭଳି ଉକ୍ତ ସରକାରୀ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକୁ ଆସୁଛି। ହେଲେ ବସଷ୍ଟାଣ୍ଡଟି ବର୍ଷାଜଳରେ ପୂରି ରହିଥିବା ଯୋଗୁ ସେଠାରେ ବସରୁ ଓହ୍ଲାଇବା କିମ୍ବା ବସ ଉପରକୁ ଚଢିବା ପାଇଁ ଯାତ୍ରୀମାନଙ୍କୁ ଖୁବ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି । ଦୀର୍ଘବର୍ଷରୁ ବରଗଡ଼ ସଦର ମହକୁମାରେ ରହିଥିବା ଏହି ସରକାରୀ ବସଷ୍ଟାଣ୍ଡରେ ଏଭଳି ସମସ୍ୟା ଲାଗି ରହିଛି। ମାତ୍ର ତାର ସ୍ଥାୟୀ ସମାଧାନ ପ୍ରତି ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ଆଖିବୁଜି ଦେଇଥିବା ଯୋଗୁ ଜନଅସନ୍ତୋଷ ବଢ଼ି ଚାଲିଛି।
Dharitri – Odisha’s No.1 Odia Daily