ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…
ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ବୁଧବାର ବାଇକରେ ବୁଲି କ୍ଷୟକ୍ଷତି ଓ ଜନଜୀବନର ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ଆଇତିପୁର ପଞ୍ଚାୟତର ବନ୍ୟା ପ୍ରଭାବିତ ଗ୍ରାମକୁ ଯାଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ହାଟଡିହୀ ବ୍ଲକ ଠାରେ ମନ୍ତ୍ରୀ ନାୟକଙ୍କୁ ବିଡ଼ିଓ, ତହସିଲଦାର ଓ ବ୍ଲକ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପରେ ଭାଜପା କାର୍ଯ୍ୟାଳୟ ଠାରେ ଦଳର କର୍ମକର୍ତ୍ତାମାନେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବନ୍ୟା ପ୍ରଭାବିତ ଗାଁମାନଙ୍କର ସ୍ଥିତି ଅନୁଧ୍ୟାନ କରି ଗାଁ ଲୋକଙ୍କ ସହିତ ଆଲୋଚନା ସହ ଘରବାଡ଼ି କ୍ଷୟକ୍ଷତି, ଚାଷଜମି, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ସଂଗ୍ରହ କରିଥିଲେ । ବନ୍ୟା ପ୍ରଭାବିତ ଲୋକମାନେ ମନ୍ତ୍ରୀଙ୍କୁ ନଦୀବନ୍ଧ ନିର୍ମାଣ, ପିଇବା ପାଣି, ଉଚ୍ଚ ରାସ୍ତା ନିର୍ମାଣ, ଘର ଭାଙ୍ଗିଯିବା, ଚାଷ କ୍ଷୟକ୍ଷତି ଏବଂ ସରକାରୀ ସହାୟତା ପ୍ରଦାନ ଭଳି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ ।
ଏହାସହ ଭବିଷ୍ୟତରେ ବୈତରଣୀ ନଦୀର ବନ୍ୟା ଦାଉରୁ ହାଟଡିହୀ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ନଦୀବନ୍ଧର ସୁଦୃଢ଼ୀକରଣ, ଘାଇ ସୃଷ୍ଟି ରୋକିବା ଏବଂ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଲୋକମାନଙ୍କୁ କହିଥିଲେ । ମନ୍ତ୍ରୀ ନାୟକଙ୍କ ସହ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଳକର ଦାଗୁଡୁ , ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲା ପରିଷଦ ସିଡିଓ କୁମାର ନାଗଭୂଷଣ, ଆନନ୍ଦପୁର ଉପଜିଲାପାଳ ନୀଳ ମାଧବ ସୁନା, ତହସିଲଦାର ସଞ୍ଜୟ ସାମନ୍ତରାୟ, ବିଡ଼ିଓ ରଞ୍ଜନ କୁମାର ପରିଡା ଏବଂ ଅନ୍ୟ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଗସ୍ତ ସମୟରେ ଭାଜପା ଜିଲା ସଭାପତି ଶୁକଦେବ ମହାନ୍ତ, ପୂର୍ବତନ ସଭାପତି ରାଧାକାନ୍ତ ମହାନ୍ତ,ଭାଜପା ନେତା ଆଲୋକ ସେଠୀ, ଜିଲା ଉପ ସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀ, ସୁନୀଲ ନାୟକ,ସରପଞ୍ଚ ରବୀନ୍ଦ୍ର ଜେନା, ବାବୁଲା କାଣ୍ଡି, ଚତୁର୍ଭୁଜ ସ୍ୱାଇଁ, ସୁରେନ୍ଦ୍ର ସାହୁ, ଜିଲା ପରିଷଦ ସଦସ୍ୟା ଅସୀମା ମିଶ୍ର, ମିନତୀ ମହାପାତ୍ର, ତୃପ୍ତିମୟୀ ଜେନା, ଦିପ୍ତିମୟୀ ସାହୁ, ସୁଶାନ୍ତ ଜେନାଙ୍କ ସମେତ ଶତାଧିକ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।