ବନ ନିଗମର ବିଭିନ୍ନ ସମସ୍ୟା ସମାଧାନ ଦାବି: ଖାଲି ପଦବୀ ପୂରଣ ଉପରେ ଗୁରୁତ୍ୱ
ଭଞ୍ଜନଗର, ୩।୮(ବାବୁଲା ପ୍ରଧାନ): ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ସମ୍ମିଳନୀ ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ବନ ନିଗମର ବିଭିନ୍ନ ସମସ୍ୟା, କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବି ଏବଂ ନିଗମର ଭବିଷ୍ୟତ କାର୍ଯ୍ୟଧାରା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସମ୍ମିଳନୀରେ ନିଗମରେ ପୂର୍ଣ୍ଣକାଳୀନ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି, ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଅଧିକାରୀ ଓ କର୍ମଚାରୀ ପଦବୀ ପୂରଣ, ବକେୟା ମହଙ୍ଗା ଭତ୍ତା ପ୍ରଦାନ ଏବଂ କ୍ଷେତ୍ର ସହାୟକ କର୍ମଚାରୀଙ୍କ ଦରମାରେ ଥିବା ଅସଙ୍ଗତି ଦୂର କରିବା ଭଳି ପ୍ରମୁଖ ଦାବି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ବ୍ରହ୍ମପୁର କରତକଳରେ ଥିବା ବିବାଦର ଶୀଘ୍ର ସମାଧାନ କରି ନିଗମକୁ ସମ୍ଭାବ୍ୟ କ୍ଷତିରୁ ବଞ୍ଚାଇବାକୁ ମଧ୍ୟ ଦାବି ହୋଇଥିଲା।
ସମ୍ମିଳନୀର ଅନ୍ୟତମ ପ୍ରମୁଖ ଆଲୋଚନାର ବିଷୟ ଥିଲା କେନ୍ଦୁପତ୍ର ବ୍ୟବସାୟକୁ ବନ ନିଗମ ହାତରେ ବଜାୟ ରଖିବା। ଏହାଦ୍ୱାରା ନିଗମର ଆର୍ଥିକ ସ୍ବାର୍ଥ ସୁରକ୍ଷିତ ହେବା ସହ କେନ୍ଦୁପତ୍ର ଶିଳ୍ପ ସହ ଜଡ଼ିତ କର୍ମଚାରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସ୍ବାର୍ଥ ସୁରକ୍ଷିତ ରହିପାରିବ ବୋଲି ସଂଘ ପକ୍ଷରୁ ମତ ପ୍ରକାଶ ପାଇଥିଲା। କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବିଗୁଡ଼ିକର ସମାଧାନ ନିମନ୍ତେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏବଂ ସମ୍ପର୍କିତ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ର ଆଶ୍ୱାସନ ଦେଇଥିଲେ।
ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ରଙ୍ଗାଧର ନାୟକ, ରାଜ୍ୟ ମହାସଂଘର ସଭାପତି ସରୋଜ କାନ୍ତ ମଲ୍ଲିକ, ମହାସଚିବ ପ୍ରଭାତ କୁମାର ପରିଡ଼ା, ଉପଦେଷ୍ଟା ନଟବର ଆଚାର୍ଯ୍ୟ, ଅକ୍ଷୟ କୁମାର ବିଶ୍ୱାଳଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲାର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ବୋଲି ଭଞ୍ଜନଗର କାର୍ଯ୍ୟାଳୟର କର୍ମଚାରୀ ତଥା କାର୍ଯ୍ୟକାରୀ ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ ଏଠାରେ ସୂଚନା ଦେଇଛନ୍ତି।
ନିଗମର ସ୍ବାର୍ଥ ଓ କର୍ମଚାରୀଙ୍କ ଅଧିକାରର ସୁରକ୍ଷା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ସମ୍ମିଳନୀରେ ଆହ୍ବାନ ଦିଆଯାଇଥିଲା। ଶେଷରେ ସଂଘର କୋଷାଧ୍ୟକ୍ଷ ଶରତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।