ବନ୍ୟା ପାଣିରେ ଭାସିଯାଇଥିଲେ ସୁରେଶ: ୧୮ ଘଣ୍ଟା ପରେ ମିଳିଲା…
ସମ୍ବଲପୁର,୬।୬(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ବାଗଡ଼ିଆପଡ଼ାରେ ବନ୍ୟା ପାଣିରେ ଭାସିଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହକୁ ଦୀର୍ଘ ୧୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର କରିଛି ସମ୍ବଲପୁର ଅଗ୍ନଶମ ବାହିନୀ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଅଇଁଠାପାଲି ଥାନା ଅନ୍ତର୍ଗତ ସିଟି ଷ୍ଟଶନ ନିକଟସ୍ଥ ଅଞ୍ଚଳର ସୁରେଶ ମହାରଣା(୫୫)।
ସୂଚନା ଅନୁସାରେ, ରବିବାର ବାଗଡ଼ିଆପଡ଼ା ନିକଟରେ ନିର୍ମାଣାଧିନ ନିଜର ନୂତନ ଘରର ସ୍ଥିତି ପରଖିବାକୁ ସୁରେଶ ଅନ୍ୟ ଜଣେ ବ୍ୟକ୍ତି ଗୋବର୍ଦ୍ଧନ ଚାନ୍ଦ(୬୦)ଙ୍କ ସହିତ ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ଉଭୟେ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଲା ପରେ ବର୍ଷାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ପରେ ରାତି ପ୍ରାୟ ସାଢ଼େ ୧୦ଟାରେ ଉଭୟେ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଘରକୁ ଫେରିବା ବାଟରେ ବାଗଡିହିପଡ଼ା ରାସ୍ତା କଲଭର୍ଟ ଅତିକ୍ରମ କରୁଥିବା ସମୟରେ ବନ୍ୟା ପାଣିର ପ୍ରଖର ସ୍ରୋତରେ ବାଇକ ସହ ଉଭୟେ ଭାସିଯାଇଥିଲେ। ତେବେ ଗୋବର୍ଦ୍ଧନ ଚାନ୍ଦଙ୍କୁ କୌଣସି ପ୍ରକାରେ ପୂର୍ବରୁ ଜୀବିତ ଉଦ୍ଧାର କରାଯାଇଥିବାବେଳେ ସୁରେଶ ରାତିରୁ ନିଖୋଜ ଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ଖୋଜାଖୋଜି ଜାରି ରହିଥିଲା। ପରିଶେଷରେ ବହୁ ପରିଶ୍ରମ ପରେ ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବେଣାକାଣ୍ଡି ନିକଟରୁ ସୁରେଶଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କରିବାରେ ସକ୍ଷମ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।