ବଡ଼ଦାଣ୍ଡରେ ଭକ୍ତ- ଭଗବାନ ମିଳନ: ଆଜି ସକାଳ ୯ଟା ୩୦ରେ ପୁଣି ଟଣାଯିବ ରଥ
ପୁରୀ,୧୭ା୭(ଅଜିତ୍ କୁମାର ମହାନ୍ତି):ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଗୁରୁବାର ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିଛି ତିନିରଥ। ବର୍ଷକ ପରେ ପୁଣି ଭକ୍ତ ଓ ଭଗବାନଙ୍କ ମିଳନ ଘଟିଛି। ବର୍ଷାରେ ଭିଜି ମହାବାହୁଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଘଣ୍ଟଘଣ୍ଟା, ନୃତ୍ୟ ସଙ୍ଗୀତ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୧ ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆନନ୍ଦ ଓ ଉତ୍ସାହର ସହ ତିନିରଥକୁ ଟାଣିନେଇଥିଲେ ଭକ୍ତ। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାହୋଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚିପାରିନାହିଁ। ମାର୍କେଟ ଛକ ନିକଟରେ ତାଳଧ୍ୱଜ ଓ ମରିଚୀକୋଟ ଛକ ନିକଟରେ ଦର୍ପଦଳନ ରଥ ପହଞ୍ଚତ୍ଥିବାବେଳେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଛି। ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ରେ ପୁଣି ରଥଟଣା ହେବାକୁ ଥିବାବେଳେ ଆଡ଼ପ ବିଜେ ନୀତି ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ନୀତି ନିର୍ଘଣ୍ଟଠାରୁ ପ୍ରାୟ ୩୦ ମିନିଟ୍ ପୂର୍ବରୁ ନୀତି ଆରମ୍ଭ ହୋଇଥିଲା। ଭୋର ୫ଟା ୩୦ରେ ମଙ୍ଗଳ ଆଳତି, ମଇଲମ ୫ଟା ୩୫, ଅବକାଶ ପୂଜା ୬ଟା ୧୦ରୁ ୬ଟା ୨୫, ବେଶ ଶେଷ ୬ଟା ୪୦, ସୂର୍ଯ୍ୟପୂଜା ୬ଟା ୫୫, ଦ୍ୱାରପାଳ ପୂଜା ୭ଟା ୨୦, ଗୋପାଳବଲ୍ଲଭ ୭ଟା ୨୫ ଓ ସକାଳ ଧୂପ ୮ଟା ୩୦ରେ ଶେଷ ହୋଇଥିଲା। ସକାଳ ୮ଟା ୪୫ରେ ରଥ ପ୍ରତିଷ୍ଠା ହୋଇ ୮ଟା ୫୦ରେ ମଙ୍ଗଳାର୍ପଣ ସମ୍ପନ୍ନ ପରେ ପୁଷ୍ପାଞ୍ଜଳି, ଡୋର ଲାଗି ହୋଇ ୯ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ରଥକୁ ଆସିଥିଲେ। ମଧ୍ୟାହ୍ନ ୨ଟାରେ ପହଣ୍ଡି ସରିଥିଲା। ଚଳନ୍ତି ପ୍ରତିମା ରାମକୃଷ୍ଣ ଏବଂ ଶ୍ରୀମଦନମୋହନଙ୍କ ପହଣ୍ଡି ୨ଟା ୨୦ରେ ସରିବା ପରେ ଠାକୁରମାନଙ୍କୁ ସୋଲ ଚିତାଲାଗି କରାଯାଇଥିଲା। ମଇଲମ ପରେ ବେଶ ଶେଷ ହୋଇଥିଲା। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ରଥକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାମଜାନରେ ବିଜେହୋଇ ସୁନାଖଡ଼ିକାରେ ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା କରିଥିଲେ। ଅପରାହ୍ନ ୪ଟା ୪୦ରେ ଛେରାପହଁରା ସରିବା ପରେ ଚାରମାଳ ଫିଟା ଓ ଘୋଡ଼ା ଲାଗିଥିଲା। ଅପରାହ୍ନ ୫ଟା ୧୦ରେ ପ୍ରଥମେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯାଇଥିଲା। ଆନନ୍ଦ ଓ ଉତ୍ସାହରେ ଶ୍ରଦ୍ଧାଳୁମାନେ ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିନେଇଥିଲେ। ତେବେ ସନ୍ଧ୍ୟା ହୋଇଯିବାରୁ ରଥଟଣା ବନ୍ଦ ରଖାଯାଇଥିଲା। ଚଳିତବର୍ଷ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ‘ଉତ୍କଳ ପ୍ରସଙ୍ଗ’ ଉନ୍ମୋଚନ କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ୨୨୦ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୧୨ହଜାର ପୋଲିସ କର୍ମଚାରୀ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।