ପ୍ରେମ ସାଜିଲା କାଳ: ପଶ୍ଚିମବଙ୍ଗ ପ୍ରେମିକାଙ୍କୁ ଓଡ଼ିଶା ଆଣି ହତ୍ୟା କରିଥିଲେ ଝାଡ଼ଖଣ୍ଡର ପ୍ରେମିକ, ସିନ୍ ରିକ୍ରିଏସନ କରି…
ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ପ୍ରେମର କରୁଣ ପରିଣତି। ପ୍ରେମ ପାଇଁ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ। ସମ୍ପର୍କର ମଧୁରତା ଶେଷରେ ମୃତ୍ୟୁର କାରଣ ସାଜିଛି, ଯାହା ହାଟଡିହୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ହତ୍ୟାକାଣ୍ଡର ତାର ତିନୋଟି ରାଜ୍ୟ ସହ ଜଡ଼ିତ ଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସୂଚନା ଦେଇଛି।
ଗତ ଜୁନ୍ ୨୩ (ମଙ୍ଗଳବାର) ସନ୍ଧ୍ୟାରେ କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ପାଣି-କାଦୁଅ ଭରା ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ପଚି-ଫୁଲି ଯାଇଥିବା ମୃତଦେହ ଉଦ୍ଧାର କରାଯାଇଥିଲା। ପରଦିନ ବୁଧବାର ଥାନାଧିକାରିଣୀ କାନନ ସାହୁଙ୍କ ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ବ୍ୟବଚ୍ଛେଦ କରାଇଥିଲେ। ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା (ୟୁଡ଼ି କେସ୍ ନଂ ୧୦/୨୦୨୬) ରୁଜୁ କରିଥିଲା।
କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡୁଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ପୋଲିସର ଏକାଧିକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ମିଳିଥିବା ମହିଳାଙ୍କ ଏକ ଭ୍ୟାନିଟ ବ୍ୟାଗ୍ରୁ ପୋଲିସକୁ ତାଙ୍କ ପରିଚୟ ଏବଂ ହତ୍ୟାକାଣ୍ଡର କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମିଳିଥିଲା। ଏହାପରେ ସୋସୋ ଥାନାରେ ଏକ ହତ୍ୟା ମାମଲା (ନଂ ୧”୨୭/୨୦୨୬) ରୁଜୁ କରାଯାଇଛି।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ଯୁବତୀଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ତାଙ୍କ ଅଭିଯୁକ୍ତ ପ୍ରେମିକଙ୍କ ଘର ଝାଡ଼ଖଣ୍ଡରେ। ପ୍ରେମିକ ଜଣଙ୍କ ଯୁବତୀଙ୍କୁ ଓଡ଼ିଶା ଆସିବା ପାଇଁ ଡାକିଥିଲେ। କେନ୍ଦୁଝର ଜିଲ୍ଲା ସୀମାନ୍ତ ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ପ୍ରେମିକର ସମ୍ପର୍କୀୟ ରହୁଥିଲେ।
ଯୁବତୀ ଜଣକ ଓଡ଼ିଶା ଆସିବା ପରେ, ପ୍ରେମିକ ନିଜ ସମ୍ପର୍କୀୟଙ୍କ ସହାୟତାରେ ତାଙ୍କୁ ସୋସୋ ଥାନା ଅଞ୍ଚଳକୁ ନେଇ ସେଠାରେ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ବିଲରେ ଫିଙ୍ଗି ଦେଇଥିଲେ ଏବଂ ନିଜେ ଫେରାର ହୋଇଯାଇଥିଲେ।
ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି, ସେମାନେ ଆସିବା ପରେ ମୃତଦେହ ଚିହ୍ନଟ ପ୍ରକ୍ରିୟା ଶେଷ ହେବ। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବା ପାଇଁ ଓଡ଼ିଶା ପୋଲିସର ଏକ ଟିମ୍ ଝାଡ଼ଖଣ୍ଡ ଯାଇଛି।
ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅଭିଯୁକ୍ତ ପ୍ରେମିକଙ୍କ ସମ୍ପର୍କୀୟ ତଥା ଭଦ୍ରକ ରୁରାଲ ଥାନା ନାରାୟଣପୁର ଗ୍ରାମର କାଳନ୍ଦୀ ଜେନାଙ୍କ ପୁଅ ଅକ୍ଷୟ କୁମାର ଜେନା (୨୨)କୁ ପୋଲିସ ଗିରଫ କରିଛି। ଗୁରୁବାର ଅଟକ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ସିନ୍ ରିକ୍ରିଏସନ କରିଥିବା ବେଳେ ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି। ପୂରା ତଦନ୍ତ ସରିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ।