ପିକଅପ୍ ଭ୍ୟାନ୍ ଧକ୍କାରେ ହାତୀ ଆହତ: ବନ ବିଭାଗ ଦ୍ୱାରା କରାଯାଉଛି ଚିକିତ୍ସା
କେନ୍ଦୁଝର,୨୪।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜର ନରଣପୁର ସେକ୍ସନ ଅନ୍ତର୍ଗତ ବଡ଼ପଷି, ଗୋପୀନାଥପୁର ଗ୍ରାମ ନିକଟରେ ଆଜି ସକାଳେ ଏକ ୧୫ ବର୍ଷ ଅଣ୍ଡିରା ହାତୀକୁ ଏକ ପିକ-ଅପ ଗାଡ଼ି ଧକ୍କା ଦେବା ଫଳରେ ଆହତ ହୋଇଛି। ସେ ସାମାନ୍ୟ ଆହତ ହୋଇଥିବା ବନ ବିଭାଗ କହୁଥିବା ବେଳେ ତାହାର ପିଠିରେ ଏକ ଆଘାତ ଲାଗିଥିବାରୁ ବନ ବିଭାଗ ଚିକିତ୍ସା କରିବା ପାଇଁ ଉଦ୍ୟମ ଜାରି ରଖିଛି। ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ୬ଟି ହାତୀଙ୍କ ଏକ ପଲ ବୁଲୁଛନ୍ତି। ସୂଚନା ପାଇବା ମାତ୍ରେ ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପିକଅପ୍ ଗାଡ଼ିର ସାମ୍ନା ବମ୍ପର ରାସ୍ତା ଉପରେ ପଡ଼ିଥିବା ଦେଖିଥିଲେ । ତେବେ ଧକ୍କା ଯୋଗୁ ସାମାନ୍ୟ ଆହତ ହୋଇଥିବାରୁ ଠିକ୍ ଭାବରେ ଚାଲି ପାରୁନାହିଁ। ସକାଳ ପ୍ରାୟ ୪ଟାରେ ଡିଏଫଓ ଧନରାଜ ଏଚଡିଙ୍କ ନେତୃତ୍ୱରେ ପଶୁ ଚିକିତ୍ସକ ଦଳ, ବାୟୋଲଜିଷ୍ଟ, ସହକାରୀ ବନ ସଂରକ୍ଷକ (ଏସିଏଫ) ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଲୋକଙ୍କ ଭିଡ଼ ଏବଂ ଯାନବାହନ ଚଳାଚଳକୁ ସୁଚାରୁ ଭାବେ ନିୟନ୍ତ୍ରଣ କରାଯାଇଛି। ଏହାସହ ସକାଳ ୬ଟାରେ ଡାର୍ଟ ମାଧ୍ୟମରେ ହାତୀକୁ ଦୁଇ ଡୋଜ ବେଦନାନାଶକ ଔଷଧ ପ୍ରଦାନ କରାଯାଇଛି।
ବର୍ତ୍ତମାନ ହାତୀଟି ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ରହିଛି ଏବଂ ଦ୍ରୁତ ସୁସ୍ଥ ହେଉଛି। ଏହି ଘଟଣାରେ ଓୟୁଏଟି (OUAT) ଏବଂ ନନ୍ଦନକାନନର ବିଶେଷଜ୍ଞ ପଶୁ ଚିକିତ୍ସକମାନଙ୍କ ସହ ପରାମର୍ଶ କରାଯାଉଛି। ବର୍ତ୍ତମାନ ହାତୀଟି ଜାତୀୟ ରାଜପଥ-୨୦ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଜଙ୍ଗଲ ଭିତରକୁ ଚାଲିଯାଇଛି। ଆଶା କରାଯାଉଛି ଯେ ଆସନ୍ତା ୨୩ ଦିନ ମଧ୍ୟରେ ହାତୀଟି ସ୍ବାଭାବିକ ଭାବରେ ସୁସ୍ଥ ହୋଇଯିବ ଏବଂ କୌଣସି ଅତିରିକ୍ତ ଚିକିତ୍ସାଗତ ହସ୍ତକ୍ଷେପର ଆବଶ୍ୟକତା ପଡ଼ିବ ନାହିଁ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।