ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ
ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ କରାଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଏହି ପ୍ରତିବାଦ ସମୟରେ ବିଜେଡି କର୍ମୀମାନେ ହାତରେ ଶୁଖୁଆ, ଝାଲମୁଢି ଓ ଲେମ୍ବୁ ମାଳ ପିନ୍ଧିବା ସହ ‘ନିମ୍ବୁଡା ନିମ୍ବୁଡା’ ଗୀତର ତାଳେ ତାଳେ ଏବଂ କୀର୍ତ୍ତନ କରି ଗାନ୍ଧିଛକରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ। ଆନ୍ଦୋଳନକାରୀମାନେ ବାଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ଶେଷରେ ବିଜେଡି ପକ୍ଷରୁ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ତ୍ରୁଟି ପାଇଁ ନୈତିକତା ଆଧାରରେ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି।
ଜିଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜ୍ୟୋତ୍ସ୍ନା ପାଇକ, କବିତା ବେହେରା, ସୁନୀତି ପଣ୍ଡା, ଗୌରହରି ମିଶ୍ର, କିଶୋର ମିଶ୍ର, ଅନୁପ ଶତପଥୀ, ଉମେଶ ପଣ୍ଡା,ସୁବ୍ରତ ସିଂ, ପ୍ରଫୁଲ୍ଲ ନାଏକ, ରାଜେଶ ଅଗ୍ରୱାଲ, ଡୁଲୁ ରାଉତ୍, କରନ ସିକନ୍ଦର, ଚନ୍ଦନ ଗୁପ୍ତାଙ୍କ ସମେତ ଦଳର ଅନେକ ଛାତ୍ର ଓ ଯୁବନେତା ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।