ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ
ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡI ଗ୍ରାମର ଭବାନୀ ଶଙ୍କର ସା (୩୪)।
ସୂଚନାନୁସାରେ, ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ଭବାନୀ ଶଙ୍କର ସା ଶନିବାର ରାତିରେ ବାଇକ୍ ଯୋଗେ ପାଟ୍ରେଲିଂ ପାଇଁ ଯାଉଥିବା ବେଳେ ବକଟପୁର ନିକଟରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ଡାକ୍ତର ଭବାନୀଙ୍କୁ ମୃତ ଘୋଷଣା କରିଥିଲେ ଏବଂ ବିଶ୍ୱନାଥପୁର ଥାନା ପୋଲିସକୁ ଖବର ଦେଇଥିଲେ।
ଖବରପାଇ ବିଶ୍ୱନାଥପୁର ଥାନାଧିକାରୀ କଳ୍ପନା ବେହେରା ଡାକ୍ତରଖାନାରେ ପହଞ୍ଚି ମୃତଦେହ ଦେଖିଲା ପରେ ବିଶ୍ୱନାଥପୁର ଥାନାର କନଷ୍ଟେବଳ ବୋଲି ଚିହ୍ନଟ କରିଥିଲେ ଏବଂ ମୃତଦେହ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲେ। ଶନିବାର ରାତି ହୋଇଯାଇଥିବାରୁ ବ୍ୟବଚ୍ଛେଦ ହୋଇପାରିଲା ନାହିଁ। ତେବେ ରବିବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ଏନେଇ ବିଶ୍ୱନାଥପୁର ଥାନାଧିକାରୀ କଳ୍ପନା ବେହେରାଙ୍କୁ ପଚାରିବାରୁ ସେ ଆମ ଥାନାର କନଷ୍ଟେବଳ ଅଟନ୍ତି। ସେ ପୁରୀରୁ ରଥଯାତ୍ରା ଡିଉଟି ସାରି ଫେରିଥିଲେ। ଶନିବାର ରାତିରେ ବାଇକ୍ ପାଟ୍ରୋଲିଂ ପାଇଁ ଯିବାବେଳେ ଦୁର୍ଘଟଣା ହୋଇଥିଲା। ଡାକ୍ତରଖାନାରୁ ଖବର ଆସିଲା ପରେ ମୁଁ ଯାଇ ଚିହ୍ନଟ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲି I ଏ ନେଇ ବିଶ୍ୱନାଥପୁର ଥାନା କେସ୍ ନଂ ୬୨/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ରବିବାର ସକାଳେ କେସିଙ୍ଗା ଏସ୍ଡ଼ିପିଓ ସନ୍ଦୀପ ମାଝୀ, ଲାଞ୍ଜିଗଡ ଥାନାଧିକାରୀ ଯଶବନ୍ତ ହିଆଲ ଏବଂ ମୁଁ ଉପସ୍ଥିତ ରହି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।