ନୀତିବିହୀନ ନିର୍ଦ୍ଧାରକ
ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍ରେ ଖୁଚୁରା (ରିଟେଲ୍) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ଧାର୍ଯ୍ୟ କରିଥିବା ୪ ପ୍ରତିଶତଠାରୁ ଏହା ଅଧିକ ହୋଇଛି। ସେହିପରି ପାଇକାରୀ (ହୋଲ୍ସେଲ୍) ମୁଦ୍ରାସ୍ଫୀତି ମେ’ରେ ୯.୬୮ ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ ଜୁନ୍ରେ ୯.୮୭ ପ୍ରତିଶତ ହୋଇଛି। ମୋଟାମୋଟି କୁହାଯାଉଛି, ଖାଦ୍ୟସାମଗ୍ରୀ ଓ ଇନ୍ଧନ ଦର ବଢ଼ିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହା ଜଣାଶୁଣା ଯେ ଭାରତୀୟ କୃଷି ଅର୍ଥନୀତି ମୌସୁମୀ ଗତିବିଧି ଉପରେ ମୂଳତଃ ନିର୍ଭରଶୀଳ। କମ୍ ବୃଷ୍ଟିପାତ ହେଲେ ତାହାର ସିଧାସଳଖ ପ୍ରଭାବ ଖାଦ୍ୟସାମଗ୍ରୀ ଉତ୍ପାଦନ ଉପରେ ପଡ଼ିଥାଏ, ଯାହା ଖାଦ୍ୟଶସ୍ୟ, ପନିପରିବା ଓ ଡାଲିଜାତୀୟ ପଦାର୍ଥର ଦରକୁ ବଢ଼ାଇ ଦେଇଥାଏ। ଏଥିସହିତ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଯୁଦ୍ଧ ସ୍ଥିତି ଯୋଗୁ ଇନ୍ଧନ ସଙ୍କଟ ଦରବୃଦ୍ଧିକୁ ଗତି ଦେବାରେ ଲାଗିଛି। ଥରେ ମୁଦ୍ରାସ୍ଫୀତି ଘଟିଲେ ତାହାକୁ ନିୟନ୍ତ୍ରଣକୁ ଆଣିବା କଷ୍ଟକର ବ୍ୟାପାର। କାରଣ ଅର୍ଥନୀତିର ନିୟମ ଅନୁଯାୟୀ, ଗୋଟିଏ ପ୍ରଭାବ ଅନ୍ୟଟିକୁ ସେହି ଅନୁଯାୟୀ ପରିବର୍ତ୍ତନ କରିଦେଇଥାଏ।
ପ୍ରତିବର୍ଷ ମୌସୁମୀ ସମୟରେ ପାଣିପାଗ ବିଭାଗ ବିଭିନ୍ନ ପ୍ରକାର ଆକଳନ କରିଥାଏ। ସ୍ବାଭାବିକ, ନିଅଣ୍ଟିଆ କିମ୍ବା ଅଧିକ ବର୍ଷା ପରିମାଣ ଉଲ୍ଲେଖ କରାଯାଏ। ଏଥିସହିତ କିଛି ବର୍ଷ ହେବ ଏଲ୍ ନିନ୍ୟୋ ପ୍ରଭାବକୁ ମଧ୍ୟ ଅର୍ଥନୀତିଜ୍ଞ ଓ ନୀତି ନିର୍ଦ୍ଧାରକମାନେ ଖାଦ୍ୟସାମଗ୍ରୀ ଦରଦାମ ବୃଦ୍ଧିଜନିତ ଅସ୍ବାଭାବିକତା ସହ ଯୋଡ଼ି ଦେଉଛନ୍ତି। କିନ୍ତୁ ଅନେକ ସମୟରେ ଦେଖାଯାଉଛି, ସରକାରୀ ବ୍ୟବସ୍ଥା ଖାଦ୍ୟ ସାମଗ୍ରୀ ଯୋଗାଣକୁ ବ୍ୟବସ୍ଥିତ କରିବାରେ ସକ୍ଷମ ହୋଇ ନ ଥାଏ। ଫଳରେ ଅସାଧୁ ବ୍ୟବସାୟୀମାନେ ଅନେକ ସାମଗ୍ରୀ ମହଜୁଦ ରଖିବା ସହ ବଜାରକୁ କମ୍ ପରିମାଣରେ ଛାଡ଼ିବା ଦ୍ୱାରା ଅତ୍ୟାବଶ୍ୟକ ପଦାର୍ଥର ଦରଦାମ୍ ଅହେତୁକ ଭାବେ ବଢ଼ିଯାଉଛି। ଏହାକୁ ନିୟନ୍ତ୍ରିତ କରିବା ଲାଗି ଖାଦ୍ୟସାମଗ୍ରୀ ସଂଗ୍ରହ, ଏହାର ଭଣ୍ଡାରଣ ଓ ବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ଦରକାର। ହେଲେ ଏ ଦେଶରେ ଜଳସେଚନ ଭିତ୍ତିଭୂମିଠାରୁ ଆରମ୍ଭ କରି ଶୀତଳଭଣ୍ଡାର ଆଶାନୁରୂପକ କରାଯାଉ ନ ଥିବାରୁ ସାମଗ୍ରୀର ଦର ସନ୍ତୁଳିତ ରଖାଯାଇପାରୁ ନାହିଁ। ଆଜିର ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନରେ ଯେଭଳି ତୀବ୍ରତା ଦେଖାଦେଲାଣି, ପାଣିପାଗର ପରିବର୍ତ୍ତନକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। କେବଳ ଉତ୍ତମ ପ୍ରସ୍ତୁତି ମାଧ୍ୟମରେ ଅର୍ଥନୈତିକ ପ୍ରଭାବକୁ ହ୍ରାସ କରାଯାଇପାରନ୍ତା। ହେଲେ ଭାରତର ନୀତି ନିର୍ଦ୍ଧାରକମାନେ ହାତଗଣତି ନେତା, ଶିଳ୍ପପତି ଓ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ସାଧାରଣ ନାଗରିକଙ୍କ ମଙ୍ଗଳ ଚିନ୍ତା ଚୁଲିକୁ ଚାଲିଯାଉଛି। ଗୋଟିଏ ଉଦାହରଣ ଭାବେ ପେଟ୍ରୋଲିୟମ୍ ପଦାର୍ଥକୁ ନିଆଯାଇପାରେ। ଗତ କିଛିମାସ ହେବ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ ଦେଖାଦେଇଛି। ସେହି ବାହାନାରେ ତୈଳ ବିପଣନ କମ୍ପାନୀଗୁଡ଼ିକ ତେଲ ଦର ବଢ଼ାଇଚାଲିଲେ। ଯେତେବେଳେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା କମ୍ ଥିଲା, ସେତେବେଳେ ମଧ୍ୟ ଖାଉଟିଙ୍କୁ ସୁବିଧା ଦିଆଗଲା ନାହିଁ। ଏଥିରୁ ହୃଦୟଙ୍ଗମ ହେଉଛି ଯେ, ନୀତି ନିର୍ଦ୍ଧାରକମାନେ ସାଧାରଣ ଲୋକଙ୍କ ପାଇଁ ନୀତି ବା ଯୋଜନା କରିବାକୁ ଚାହୁଁନାହାନ୍ତି। ସେଥିପାଇଁ ଆଜିର ମହଙ୍ଗା ସମୟରେ ସୀମିତ ଅର୍ଥ ରୋଜଗାର କରୁଥିବା ବର୍ଗ ଉପରେ ଖାଦ୍ୟଦ୍ରବ୍ୟର ଚଢ଼ା ପ୍ରଭାବ ପଡ଼ୁଛି। ଖାଦ୍ୟଶସ୍ୟ, ପନିପରିବା ଓ ଡାଲିଜାତୀୟ ପଦାର୍ଥ ପାଇଁ ସାଧାରଣ ପରିବାର ଘରୋଇ ଖର୍ଚ୍ଚର ବଡ଼ ଅଂଶ ବ୍ୟୟ କରିଥାଏ।
ଗୋଟିଏ ଦେଶ ବା ସଙ୍ଗଠନକୁ ଏକ ହାତଗଣତି ଗୋଷ୍ଠୀ ନିୟନ୍ତ୍ରଣ କରି ରଖିବାକୁ ଓଲିଗାର୍କି ବା ଧନିକତନ୍ତ୍ର ବୋଲି କୁହାଯାଇଥାଏ। ଆଜିର ଭାରତବର୍ଷ ସେହିଭଳି ସ୍ଥିତିକୁ ଆପଣାଉଥିବା ଦେଖାଯାଉଛି। ଶିଳ୍ପପତିଙ୍କ ସୁବିଧା ପାଇଁ ଯେଉଁଭଳି ଭାବେ ଅର୍ଥନୀତିର ଗତିକୁ ବଦଳାଇ ଦିଆଯାଉଛି, ସାଧାରଣ ନାଗରିକଙ୍କ ପାଇଁ ଆବଶ୍ୟକ ପରିବର୍ତ୍ତନ କଲା ବେଳେ ନୀତି ନିର୍ଦ୍ଧାରକମାନେ କୁନ୍ଥୁ କୁନ୍ଥୁ ହେଉଛନ୍ତି। ଏକ ଉତ୍ତମ ନୀତି ରହିଲେ ମୂଲ୍ୟ ନିର୍ଦ୍ଧାରଣରେ ସ୍ଥିରତା ଆସିପାରନ୍ତା। କୃଷିଭିତ୍ତିକ ଭାରତୀୟ ଅର୍ଥନୀତି ସର୍ବଦା କୃଷକଙ୍କ ସୁବିଧାକୁ ଦେଖି ଜଳସେଚନ, ଜଳଭଣ୍ଡାର ଓ ଶୀତଳଭଣ୍ଡାର ନିର୍ମାଣ ସହ ବଜାର ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଦରକାର। କାରଣ ଜନମଙ୍ଗଳ ରାଷ୍ଟ୍ରରେ ସବୁକିଛି ବଜାର ଉପରେ ଛାଡ଼ି ଦିଆଯାଉଥିବାରୁ ବଡ଼ବଡ଼ିଆ ଓ ନୀତି ନିର୍ଦ୍ଧାରଣ ଗୋଷ୍ଠୀ ସେମାନଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ନେଇଯାଉଛନ୍ତି। ଉଦାହରଣସ୍ବରୂପ, ଗତ କିଛିବର୍ଷ ତଳେ ତିନୋଟି କୃଷି ସମ୍ପର୍କିତ ଆଇନକୁ ସରକାର ଆଗତ କରିଥିଲେ। ଉତ୍ତର ଭାରତରେ ସେହି ଆଇନ ପ୍ରଣୟନକୁ ପ୍ରବଳ ବିରୋଧ ଓ ପ୍ରତିବାଦକାରୀଙ୍କ ମୃତ୍ୟୁ ଯୋଗୁ ସରକାର ତାହାକୁ, ଉପରଠାଉରିଆ ଭାବେ, ବାତିଲ କରିଦେଇଥିଲେ। ପରବର୍ତ୍ତୀ ସମୟରେ ତନ୍ମଧ୍ୟରୁ ଅନେକ ନୀତିକୁ ଧାରାରେ ପକାଇ କାର୍ଯ୍ୟକାରୀ କରାଇ ଦେଇଛନ୍ତି, ଯାହାଫଳରେ ଆଜି ମଧ୍ୟ କୃଷକର କ୍ଷତି ସମ୍ଭାଳିବା କଷ୍ଟକର ହେଉଛି।
ଭାରତୀୟ ଅର୍ଥନୀତି ଏବେ କେତେ ଦୁର୍ବଳ ରହିଛି ପ୍ରତ୍ୟହ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନରୁ ବେଶ୍ ସୁସ୍ପଷ୍ଟ। ଏଠାରେ ସର୍ବୋଚ୍ଚରେ ରହୁଛି ଗୋଟିଏ କଥା। ଆଜିର ଭାରତରେ ଦେଶର ଅର୍ଥନୀତିକୁ ବୁଝିବାର ସକ୍ଷମତା କାହାରି ଅଛି ବୋଲି ବିଶ୍ୱାସ ହେଉନାହିଁ। ଜାତୀୟ ଅର୍ଥନୀତି ବୁଝିପାରୁ ନ ଥିବା ବ୍ୟବସ୍ଥାର ଅନ୍ତର୍ଜାତୀୟ ଅର୍ଥନୀତି ବୁଝିବାର ଶକ୍ତି ଅଛି ବୋଲି ବିଶ୍ୱାସ ମଧ୍ୟ କରିହେଉ ନାହିଁ। ୟାକୁ ତାକୁ ଦୋଷ ଦେଇ ଖସିବା ହେଉଛି ରାଜନୈତିକ ଚାଲ୍। ବାସ୍ତବ ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଭିନ୍ନ। ଦୁଃଖର ବିଷୟ ଯେ, ଭାରତର ସାଧାରଣ ନାଗରିକଙ୍କ ଧାରଣା ଅନୁଯାୟୀ ଅର୍ଥନୀତି ମଧ୍ୟ ରାଜନୀତି ଦ୍ୱାରା ପରିଚାଳିତ। ଏହା ସତ୍ୟଠାରୁ ବହୁ ଦୂରରେ ବୋଲି ଏବେ ସମସ୍ତେ ହୃଦ୍ବୋଧ କରୁଥିବେ। କେବଳ କଥାରେ କୁହାଟ ମାରି ଆମ ଅର୍ଥନୀତି ବିଶାଳ କହିଲେ ହେବ ନାହିଁ, ସେଥିପାଇଁ କାର୍ଯ୍ୟରେ କରିଦେଖାଇବା ଦରକାର। ଅନ୍ତତଃପକ୍ଷେ ନୀତି ନିର୍ଦ୍ଧାରକମାନଙ୍କୁ ଶାସକଙ୍କ ଅର୍ଡର୍ଲି ହେବାରୁ କ୍ଷାନ୍ତ କରାଯିବା ନିତାନ୍ତ ଆବଶ୍ୟକ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।