ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ
କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ ଏହାକୁ ବିରୋଧ କରି ଜିଲାପାଳ ଓ ଅବକାରୀ ବିଭାଗ ଜିଲା ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ନିଶାନ୍ତ ହୋଟେଲ ଓ ବାର ମୁଖ୍ୟ ରାସ୍ତାରେ ଖୋଲିଲେ ବିରାଟ ଗଣଆନ୍ଦୋଳନ କରିଯିବ ବୋଲି ୱାର୍ଡବାସୀ ଜିଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ଏହାର ତୁରନ୍ତ ସମାଧାନ ପାଇଁ ସହରର ଯୁବ ଗୋଷ୍ଠୀ, ମହିଳା, ଯୁବତୀଯୁବକ, ଛାତ୍ରୀଛାତ୍ର, ଆଇନଜୀବୀଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜିଲା ପ୍ରଶାସନ ଓ ଅବକାରୀ ବିଭାଗକୁ ଏକ ସ୍ମାରକପତ୍ର ଦିଆଯାଇଛି। ୱାର୍ଡବାସିନ୍ଦାଙ୍କ ଦାବି ଯଦି ଜିଲାପ୍ରଶାସନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଗଣଆନ୍ଦୋଳନ କରିବା ପାଇଁ ସହରବାସୀ ସଜବାଜ ହେଉଛନ୍ତି। ହୋଟେଲ ଏବଂ ବାର୍ ହେବା ପାର୍ଶ୍ୱରେ ବହୁ ଜନବସତି ଅଞ୍ଚଳ ରହିଛି। ୱାର୍ଡବାସୀଙ୍କ ବିନା ଅନୁମତିରେ କୌଣସି ସଭା ନ କରି କିପରି ବାର ଖୋଲିବାକୁ ଅନୁମତି ଦିଆ ଯାଇଛି ବୋଲି ୱାର୍ଡବାସୀ ଜିଲା ପ୍ରଶାସନକୁ ପ୍ରଶ୍ନ ଉଠାଇଛନ୍ତି।
ଉକ୍ତ ବାରକୁ ତେଲ ନଦୀର ପୂର୍ବ ସ୍ଥାନରେ ରଖିବାକୁ ସମସ୍ତ ଦାବି ହେଉଛି। ଜିଲା ଅବକାରୀ ଅଧୀକ୍ଷକ ରଞ୍ଜନ ନାଏକ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି। ଜିଲାପାଳଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଜିଲାପାଳଙ୍କ ଦାୟିତ୍ୱରେ ଥିବା ତନ୍ମୟ ଦରୱାନଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରାଯାଇଛି।
ଏହି ଅଭିଯୋଗରେ ବିଜେଡି ପୂର୍ବତନ ଟାଉନ ସଭାପତି ରମେଶ ପଟ୍ଟନାୟକ, ଯୁବ ସଂଗଠକ ଏ ସୁରେଶ ରାଓ, କାଉନସିଲର ରମାକାନ୍ତ ଜେନା,ରୋହିତ ଜୈନ, ଧରଣୀ ନାଏକ, ପ୍ରକାଶ ବନଛୋର, ସମ୍ଭୁ ବାଗ, ବିମଲ ବାଗ, ଅରୁଣ ଅଗ୍ରୱାଲ, ବିଜେଡି ଯୁବ ସଂଗଠକ ନଳୀନ ପଟ୍ଟନାୟକ ପ୍ରମୁଖ ୱାର୍ଡବାସୀ ଜିଲା ପ୍ରଶାସନକୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ। ୱାର୍ଡ ନମ୍ବର ୬ କାଉନସିଲର ଶମ୍ଭୁ ବାଗଙ୍କ ନେତୃତ୍ୱରେ ୱାର୍ଡବାସୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିଶାନ୍ତ ବାର ଖୋଲିଲେ ଦୃଢ଼ ବିରୋଧ କରାଯିବ ବୋଲି ୱାର୍ଡବାସୀ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।