ନିର୍ବାଚନ ପ୍ରତିଶ୍ରୁତି ଭୁଲିଗଲେଣି ନେତା: ବ୍ରାହ୍ମଣୀଗାଁରେ ସ୍ଥାପନ ହେଉନି 5g ନେଟୱାର୍କ, ବଢୁଛି ଜନଅସନ୍ତୋଷ

Jul 20, 2026 - 22:18
ନିର୍ବାଚନ ପ୍ରତିଶ୍ରୁତି ଭୁଲିଗଲେଣି ନେତା: ବ୍ରାହ୍ମଣୀଗାଁରେ ସ୍ଥାପନ ହେଉନି 5g ନେଟୱାର୍କ, ବଢୁଛି ଜନଅସନ୍ତୋଷ

ଦାରିଙ୍ଗବାଡି,୨୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳଭାବେ ଜଣାଶୁଣା ବ୍ରାହ୍ମଣୀଗାଁଠାରେ ଗତ ଏକ ଦଶନ୍ଧି ହେଲା ବିଏସଏନଏଲ ମୋବାଇଲ ସେବା ଉପଲବ୍ଧ। ତେବେ ଏହି ମୋବାଇଲ ଟାୱାର ହେବାର ଦଶନ୍ଧି ବିତିଯାଇଥିଲେ ବି ଏହାର ରକ୍ଷଣବେକ୍ଷଣ ଅଭାବରୁ ବିଦ୍ୟୁତ ଚାଲିଗଲେ ଅଚଳ ହୋଇପଡୁଥିବା ବେଳେ ଅନେକ ସମୟରେ ଅଫଟିକ ଫାଇବାର କେବୁଲ (ଓଏଫସି) କଟି ମୋବାଇଲ, ଇଣ୍ଟରନେଟ ସେବା ଅଚଳ ହୋଇପଡୁଛି। ଫଳରେ ଅଞ୍ଚଳବାସୀ ବହୁ ହଇରାଣ ଭୋଗୁଛନ୍ତି।
ବିଏସଏନଏଲର ମୋବାଇଲ ଟାୱାର ଉପରେ ଗଛଲତା ମାଡ଼ିବସିଥିବାବେଳେ ଏକ୍ସଚେଞ୍ଜ କାର୍ଯ୍ୟାଳୟ ଗୋଟିଏ ପ୍ରକାର ଭୂତ କୋଠି ପାଲଟିଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ଜେନେନେଟର ଆଣିବା ଦିନଠାରୁ ବର୍ଷ ପରେ ବର୍ଷ ବିତିଚାଲିଥିଲେ ମଧ୍ୟ ତାକୁ ବ୍ୟବହାର କରାଯାଉନାହିଁ। ତାହା କାର୍ଯ୍ୟାଳୟ ବାହାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ସେଠାରେ ଜିଓ ମୋବାଇଲ ନେଟୱାର୍କ ଯୋଗାଇଦେବାକୁ ଅଞ୍ଚଳବାସୀ ବାରମ୍ବାର ଜିଲାପ୍ରଶାସନ ଏବଂ ବିଧାୟକ, ଏମପି ଙ୍କୁ ଅବଗତ କରାଇଥିଲେ ସୁଦ୍ଧା ଏହି ସେବା ଲୋକଙ୍କ ନିକଟରେ ପହଞ୍ଚିବା ଗୋଟିଏ ପ୍ରକାର ଅନିଶ୍ଚିତତା ଦେଖାଯାଇଛି। ଫଳରେ ଜନଅସନ୍ତୋଷ ଦେଖାଯାଇଛି।
ଏନେଇ କନ୍ଧମାଳ ଜିଲାପାଳ ବେଦ ଭୂଷଣ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ. ଏବେ ଫାଇବାର କେବୁଲ ବିଛା ଚାଲିଛି। ଶୀଘ୍ର ସମସ୍ତ ଅଞ୍ଚଳରେ ଏହି ସେବା ସ୍ବାଭାବିକ ରହିବ ଏନେଇ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ସମାନ ଉତ୍ତର ରଖି କହିଥିଲେ ଯେ, ଫାଇବର ବିଛା କାର୍ଯ୍ୟ ସରିଲେ ଏହି ସେବା ସଠିକ ଭାବେ ଲୋକ ପାଇପାରିବେ ଓ ସେ ବ୍ରାହ୍ମଣୀଗାଁର ନେଟୱାର୍କ ସମସ୍ୟା ସମ୍ପର୍କରେ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ବାରମ୍ବାର ମୋବାଇଲ ଓ ଇଣ୍ଟରନେଟ ସେବା ଅଚଳ ଯୋଗୁ ବ୍ରାହ୍ମଣୀଗାଁଠାରେ ରହିଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ଅଚଳ ହୋଇପଡୁଛି। ବିଶେଷ କରି ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର, କ୍ଷୁଦ୍ର ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ ଓ ତାର ୨ଟି ଏଟିଏମ ଅଚଳ ହୋଇପଡୁଛି। ଅଞ୍ଚଳର ୮ ପଞ୍ଚାୟତ ତଥା କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା, ବ୍ରାହ୍ମଣୀଗାଁ, ଗଦାପୁର, ହାତୀମୁଣ୍ଡା, ସରାମୁଳି ଓ ତାଜୁଙ୍ଗିଆ ପଞ୍ଚାୟତ ବାସି ହଇରାଣ ହେବା ସହ ପଡୋଶୀ ଗଜପତି ଜିଲା ମୋହନା ବ୍ଲକର ପାଣିଗଣ୍ଡା, କଟାମାହା ଆଦି ପଞ୍ଚାୟତବାସୀ ବ୍ରାହ୍ମଣୀଗାଁ ବଜାର, ସ୍ବାସ୍ଥ୍ୟକେନ୍ଦ୍ର, କଲେଜ ଓ ବ୍ୟାଙ୍କ ପ୍ରତିଷ୍ଠାନ ଉପରେ ନିର୍ଭର କରୁଥିବା ବେଳେ ହଇରାଣ ଭୋଗୁଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।