ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

Jul 22, 2026 - 08:02
ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି ଦିନକୁ ସର୍ବାଧିକ ୪୦୦ ମିଲିଗ୍ରାମ୍‌ ପର୍ଯ୍ୟନ୍ତ କ୍ୟାଫିନ୍‌ ଅର୍ଥାତ୍‌ ପ୍ରାୟ ୫ କପ୍‌ କଫି ପିଇବା ସୁରକ୍ଷିତ। ଏହାଦ୍ୱାରା ହୃଦ୍‌ରୋଗଜନିତ ସମସ୍ୟାର ଆଶଙ୍କା ହ୍ରାସ ପାଇଥାଏ ବୋଲି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ପତ୍ରିକା ‘ସର୍କୁଲେଶନ’ରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।
କଫିରେ ଚିନି, କ୍ରିମ୍‌, କ୍ଷୀର କିମ୍ବା ଅନ୍ୟ କୌଣସି ସ୍ବାଦଯୁକ୍ତ ସିରପ୍‌ ନ ମିଶାଇ (ବ୍ଲାକ୍‌ କଫି) ପିଇଲେ ଏହା ଟାଇପ୍‌-୨ ଡାଇବେଟିସ୍‌, ହୃଦ୍‌ଘାତ, ବ୍ରେନ୍‌ ଷ୍ଟ୍ରୋକ୍‌ ଏବଂ ହାର୍ଟ ଫେଲ୍ୟୁୟର ଭଳି ରୋଗର ଆଶଙ୍କାକୁ ବହୁମାତ୍ରାରେ କମାଇଥାଏ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ପ୍ରଫେସର ଗ୍ରେଗୋରୀ ଏମ୍‌. ମାର୍କସ୍‌ଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ, କଫିରେ ଥିବା କ୍ୟାଫିନ୍‌କୁ ଆମ ଯକୃତ(ଲିଭର) ହଜମ ବା ପ୍ରକ୍ରିୟାକରଣ କରାଇଥାଏ। ଏଥିସହ ଏହା ଶରୀର ମଧ୍ୟକୁ ଯିବାର ଏକ ଘଣ୍ଟା ମଧ୍ୟରେ ନିଜର ପ୍ରଭାବ ଦେଖାଇଥାଏ। ତେବେ ବୟସ, ଜେନେଟିକ୍ସ ଏବଂ ମେଟାବୋଲିଜମ ଆଧାରରେ ଭିନ୍ନ ଭିନ୍ନ ଲୋକଙ୍କ ଶରୀର ଉପରେ ଏହାର ପ୍ରଭାବ ସାମାନ୍ୟ ଅଲଗା ହୋଇପାରେ।
ଏହି ଗବେଷଣା ରିପୋର୍ଟରେ ଏକ ଚେତାବନୀ ମଧ୍ୟ ଦିଆଯାଇଛି। ସାଧାରଣ କଫି ତୁଳନାରେ ବଜାରରେ ମିଳୁଥିବା ଏନର୍ଜି ଡ୍ରିଙ୍କ୍ସ ଏବଂ ଏନର୍ଜି ସଟ୍ସରେ ୩ରୁ ୪ ଗୁଣ ଅଧିକ କ୍ୟାଫିନ୍‌ ଥାଏ। ଏହାର ଅତ୍ୟଧିକ ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ଅନିୟମିତ ହୃଦ୍‌ସ୍ପନ୍ଦନ ଭଳି ବିପଦ ସୃଷ୍ଟି ହୋଇଥାଏ। ତେଣୁ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାକୁ ଏଭଳି ଏନର୍ଜି ଡ୍ରିଙ୍କ୍ସ ଠାରୁ ଦୂରେଇ ରହିବା ଲାଗି ଉକ୍ତ ଗବେଷଣା ରିପୋର୍ଟରେ ପରାମର୍ଶ ଦିଆଯାଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।