ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…
ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥଟଣା ଯାଇଥାଏ। ଶୁକ୍ରବାର ଭୋର ପ୍ରାୟ ସାଢେ ୬ ଟାରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁଙ୍କୁ ମଙ୍ଗଳ ଆଳତି କରାଯିବା ପରେ ମଇଲମ , ତଡ଼ପଲାଗି , ରୋଷହୋମ , ଅବକାଶ , ସୂର୍ଯ୍ୟପୂଜା,ମଙ୍ଗଳାର୍ପଣ ପୂଜାର୍ଚ୍ଚନା ପରେ ଭୋଗ ଲାଗି କରାଯାଇଥିଲା। ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରିଥିବା ଚର୍ତୁଦ୍ଧାମୂର୍ତ୍ତିଙ୍କୁ ବାହୁଡ଼ା ଯାତ୍ରା ନିମନ୍ତେ ବେଶ ପକାଯାଇଥିଲା। ବଡଖେମୁଣ୍ଡି ରାଜାଙ୍କ ଦ୍ବାରା ପରିଚାଳିତ ଏହି ରଥଯାତ୍ରା ନିମନ୍ତେ ଅପରାହ୍ନ ପ୍ରାୟ ସାଢେ ୪ ଟା ସମୟରେ ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ କୋଟି ବ୍ରହ୍ମାଣ୍ଡ ନାୟକ ଜଗତର ନାଥ ଶ୍ରୀ ଜଗନ୍ନାଥ ଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ଛାଡି ସନ୍ଧ୍ୟା ୭ ଟା ସୁଦ୍ଧା ବଡଦାଣ୍ଡରେ ନିର୍ମିତ ରଥ ଉପରେ ରଥାରୂଢ ହୋଇଥିଲେ। ବଡଖେମୁଣ୍ଡି ରାଜା ଲକ୍ଷ୍ମୀନାରାୟଣ ଦେବ ରଥ ଉପରେ ଛେରା ପହରା କରିଥିଲେ। ସେହିପରି ସାନଦାଣ୍ଡ ସାହି ଠାକୁରାଣୀ ମନ୍ଦିର ଛକ ସାନ ରଥ ଉପରକୁ ଶ୍ରୀ ଦଧିବାମନ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରିଥିଲେ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀ ଜୀଉଙ୍କ ରଥ ଟଣା ପରମ୍ପରା ରହିଥିବାରୁ ଶନିବାର ଅପରାହ୍ନରେ ରଥଟଣା ଅନୁଷ୍ଠିତ ହେବ। ତେବେ ସହରର ରାଣିସାହିର ଶ୍ରୀ ପତିତପାବନ ଜଗନ୍ନାଥ ଏବଂ ଅଞ୍ଚଳ କଲୋନୀରେ ଅନୁଷ୍ଠିତ ବାହୁଡ଼ା ଯାତ୍ରାରେ ଶ୍ରୀ ଜଗନ୍ନାଥଙ୍କ ରଥକୁ ଶ୍ରଦ୍ଧାଳୁ ମାନେ ଭକ୍ତିର ସହ ଟାଣି ନେଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚାଇଥିବା ଜଣାପଡ଼ିଛି।ସେହିପରି ବଡଡୁମୁଳା ଗ୍ରାମରେ ମଧ୍ୟ ରଥଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ସରପଞ୍ଚ ଗୀତାଞ୍ଜଳୀ ଜାନୀ , ସମବାୟ ସମ୍ପାଦକ ଶେଷକାନ୍ତ ଜାନୀ , ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତ ପରିବାରର ସଦସ୍ୟ, ଯାତ୍ରା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ସେହିପରି ଭ୍ରମରପୁର,ଭୀଷ୍ମଗିରି, ସିଦ୍ଧେଶ୍ୱର,ବାସୁଦେବପୁର, ଜକର,ପଦ୍ମନାଭପୁର,ଫାସିଗୁଡ଼ା,ଗୋପୀନାଥପୁର,ଜକମେରିପଲ୍ଲୀ ପ୍ରଭୃତି ଗ୍ରାମ ମାନଙ୍କରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ଶ୍ରୀ ଜୀଉ ଙ୍କ ବାହୁଡ଼ା ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।