ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

Jul 20, 2026 - 19:23
ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ, ୨୦ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଛାତ୍ରୀଙ୍କୁ ଏବେ ତାଙ୍କ ଘରକୁ ପଠାଇ ଦିଆଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି।

ଗୋଚ୍ଛାପଡା ଥାନା ଅଞ୍ଚଳର ଛାତ୍ରୀ ଜଣଙ୍କ ଦାମିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପଢ଼ୁଛନ୍ତି। ୧୮ ତାରିଖରେ ବିଦ୍ୟାଳୟରେ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ୭ ଛାତ୍ରୀଙ୍କ ଋତୁସ୍ରାବଜନିତ ସମସ୍ୟା ଜଣାପଡ଼ିଥିଲା। ସେମାନଙ୍କୁ ନିକଟସ୍ଥ ଗୁମ୍ମାଗଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଜଣେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷକ ଛାତ୍ରୀଙ୍କ ବାପାଙ୍କୁ ସ୍କୁଲକୁ ଆସିବାକୁ ଫୋନରେ କହିଥିଲେ। ୧୯ ତାରିଖରେ ଛାତ୍ରୀଙ୍କ ବାପା ଯାଇ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ଝିଅକୁ ପଚାରିବାରୁ ବନ୍ଦୁଲି ଗ୍ରାମର ଜଣେ ଯୁବକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ସେ କହିଥିଲେ। ଏ ନେଇ ଛାତ୍ରୀଙ୍କ ବାପା ଗୋଚ୍ଛାପଡ଼ା ଥାନାରେ ଏତଲା ଦେଇଛନ୍ତି।

ପୋଲିସ ଏକ ମାମଲା(ନଂ.୧୧୨/୨୬) ରୁଜୁ କରି ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ା ମିଳିଥିବା ସୁଚନା ଅନୁସାରେ, ଛାତ୍ରୀଙ୍କ ଗ୍ରାମରେ ଯାତ୍ରା ହେଉଥିବା ବେଳେ ସେଠାକୁ ଯୁବକ ଜଣକ ଆସିଥିଲେ। ସେହିଠାରେ ଉଭୟଙ୍କ ପରିଚୟ ପରେ ଫୋନରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ା ଏହାର କିଛି ଦିନ ପରେ ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।