ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…
ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ବ୍ଲକର ତିଲୋରୀ ଗ୍ରାମରେ ଗତ ଏକ ଦଶନ୍ଧି ଧରି ନିଆରା ଢଙ୍ଗରେ ବାହୁଡ଼ା ଯାତ୍ରା ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ଏହା ଅନୁଷ୍ଠିତ ହୋଇଛି।
ଏହି ଯାତ୍ରାର ବିଶେଷତ୍ୱ ହେଉଛି, ଏଠାରେ ରଥ ବ୍ୟବହାର କରାଯାଏ ନାହିଁ। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପାରମ୍ପରିକ ଖଟୁଲିରେ ବହନ କରାଯାଇଥାଏ। ଏହି ନିଆରା ପରମ୍ପରା ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ରୀତିନୀତି ଅନୁଯାୟୀ ତିନି ଠାକୁରଙ୍କ ପୂଜାର୍ଚ୍ଚନା, ହୋମ ଏବଂ ଛେରା ପହଁରା ନୀତି ସମ୍ପନ୍ନ ହେବା ପରେ ରଥ ପରିବର୍ତ୍ତେ ଖଟୁଲିରେ ଶ୍ରୀରାମ ନଗରରୁ ପଟ୍ଟାଖଣ୍ଡା ସାହି ମୁକ୍ତିମଣ୍ଡପ ପର୍ଯ୍ୟନ୍ତ ବିରାଟ ପଟୁଆରରେ ନିଆଯାଇଥିଲା। ପରେ ତିନି ଠାକୁରଙ୍କୁ ସମଗ୍ର ଗାଁ ପରିକ୍ରମା କରାଯାଇଥିଲା।
ପାରମ୍ପରିକ ଓ ନିଆରା ଢଙ୍ଗରେ ବାହୁଡ଼ା ଯାତ୍ରା ପାଳନ କରାଯାଉଥିବାରୁ ତିଲୋରୀ ଗ୍ରାମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମୁକ୍ତିମଣ୍ଡପ କମିଟି ପକ୍ଷରୁ ଯାତ୍ରାର ସମସ୍ତ ପରିଚାଳନା କରାଯାଇଥିଲା। କମିଟିର ସଭାପତି ତ୍ରିଲୋଚନ ନାୟକ, ସମ୍ପାଦକ ସୁଶାନ୍ତ ନାୟକ, ଲାଲୁ ନାୟକ, ଶେଷ ନାୟକ, କାହ୍ନୁଚରଣ ନାୟକ ଏବଂ ଉପଦେଷ୍ଟା ବିଷ୍ଣୁଚରଣ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସେହିପରି ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର କାଟିଙ୍ଗିଆ ଓ ଗଦାପୁର, ଦାରିଙ୍ଗବାଡି ଥାନା ଅଞ୍ଚଳର ସୁଗାନକେତା, ସିମନବାଡ଼ି ଓ ଗବାଟବାଡ଼ିରେ ମଧ୍ୟ ବାହୁଡ଼ା ଯାତ୍ରା ଭକ୍ତିମୟ ପରିବେଶରେ ପାଳିତ ହୋଇଥିଲା। ଚଳିତ ବର୍ଷ ପ୍ରଥମଥର ପାଇଁ କିରିକୁଟି ଅଞ୍ଚଳରେ ମଧ୍ୟ ବାହୁଡ଼ା ଯାତ୍ରା ବଡ଼ ଧୂମଧାମରେ ଆୟୋଜିତ ହୋଇଛି।
ଯାତ୍ରା ସମୟରେ ଆଇନଶୃଙ୍ଖଳା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ବିପିନ ବିହାରୀ ମେହେରଙ୍କ ନେତୃତ୍ୱରେ ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନା ଓ ସଦଳବଳ ପୋଲିସ ଫୋର୍ସ ସମସ୍ତ ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳାର ତଦାରଖ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।