ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

Jun 26, 2026 - 18:03
ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ତାରିଖରେ ଆଉ ୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ତେଲକୋଇ ଥାନା ପାଟଖୁଳି ଗ୍ରାମର ରୀତା ଜୁଆଙ୍ଗ (୧୬) ଏବଂ ତେଲକୋଇ ଥାନ ପିଟାନାଳୀ ଗ୍ରାମର ସୁମିତ୍ରା ଜୁଆଙ୍ଗ (୨୦) ବୋଲି ଜଣାପଡ଼ିଛି। ୨୬ ତାରିଖରେ ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଗୋଳିଆବନ୍ଧ ରାଇଡିହା ଗ୍ରାମର ଦିପାଞ୍ଜଳୀ ଜୁଆଙ୍ଗ(୨୦)ଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। ସେମାନଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ଶୁକ୍ରବାର ଓଡ଼ିଶା ପଠାଇବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ପରିବାର ଲୋକ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ତେବେ ଅନେକ ଅଦ୍ୟାବଧି ସେଠାରେ ଚିକିତ୍ସାଧୀନ ରହିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ଚିନ୍ତାରେ ରହିଛନ୍ତି।
ପ୍ରକାଶଯୋଗ, ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରିୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଗତ ରବିବାର ଦିନ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣା ହୋଇଥିଲା। ଗରିବ ଖଟିଖିଆମାନେ ଦଲାଲଙ୍କ ମାଧ୍ୟମରେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। କୌଣସି ଅଘଟଣ ହେଲେ ରାଜ୍ୟ ସରକାରଙ୍କ ନଜରକୁ ଆସୁଛି। ବାହାର ରାଜ୍ୟରେ କେତେ ଶ୍ରମିକ କାମ କରୁଛନ୍ତି ତାହାର ତଥ୍ୟ ଶ୍ରମ ବିଭାଗ ନିକଟରେ ରହୁନାହିଁ। ପେଟ ପାଇଁ ଅଣକୁଶଳୀ ଏବଂ ନାବାଳକ/ନାବାଳିକା ମାନେ ବିପଦପୂର୍ଣ୍ଣ କାମ କରୁଛନ୍ତି। ଶ୍ରମ ବିଭାଗ ପକ୍ଷରୁ ପଞ୍ଚାୟତ ସ୍ତରରେ ସଚେତନତା କରାଯାଉ ନ ଥିବାରୁ ଅଶିକ୍ଷିତ ଲୋକ ବାହାର ରା୍ଯଯକୁ ଯାଇ ମୃତ୍ୟୁବରଣ କରିବା ଚିନ୍ତାର ବିଷୟ ହୋଇଛି। ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି ପରେ ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡ଼ି) ପ୍ରକ୍ରିୟାକରଣ କାରଖାନାରେ କାମ କରୁଥିବା ସମସ୍ତ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ଓଡ଼ିଶା ଆଣିବାର ବ୍ୟବସ୍ଥା କରାଯାଉଛି। ମୃତ୍ୟୁ ଖବର ଶୁଣି ଗାଁ ଲୋକେ ମିୟମ୍ରାଣ ହୋଇପଡ଼ିଛନ୍ତି। ତେବେ ସେମାନଙ୍କୁ ଶ୍ରମିକ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ପ୍ରଲୋଭନ ଦେଖାଇ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ନେଇଥିଲେ ବୋଲି ମୃତକଙ୍କ ପରିବାର ଲୋକେ କହିଛନ୍ତି। ତେବେ ଶ୍ରମ ବିଭାଗ ଅଦ୍ୟାବଧି ଶ୍ରୀକାନ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ବେଳେ ସେ ମଧ୍ୟ ସେଠାରେ କାମ କରୁଥିଲା ବୋଲି କହୁଥିବା ଜଣାପଡିଛି। ଅଦ୍ୟାବଧି ୧୧ ଜଣ ମୃତ୍ୟୁକୁ ନେଇ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସହାୟତା ମିଳିବ ଏବଂ ଆଗାମୀ ଦିନରେ ଦାଦନ ସମସ୍ୟା ଦୂର କରିବା ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily