ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ ପ୍ଲେଇଂ-୧୧ରେ ସୁଯୋଗ ପାଇ ନ ଥିବା କୁଲଦୀପ ଏବେ ଇଂଲଣ୍ଡର ଘରୋଇ କ୍ରିକେଟରେ ନିଜର ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ଇଂଲଣ୍ଡର ପ୍ରସିଦ୍ଧ କାଉଣ୍ଟି କ୍ଲବ ‘ୟର୍କଶାୟର’ ସହିତ ଚୁକ୍ତି କରିଛନ୍ତି।
ବୁଧବାର ୟର୍କଶାୟର କ୍ଲବ ଏହି ସ୍ବତନ୍ତ୍ର ଚୁକ୍ତି ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଏହି ଚୁକ୍ତି ଅନୁଯାୟୀ, କୁଲଦୀପ ଦଳ ପାଇଁ ୫ଟି ‘ମେଟ୍ରୋ ବ୍ୟାଙ୍କ ୱାନ୍ ଡେ କପ୍’ ମ୍ୟାଚ୍ ଏବଂ ୩ଟି ‘ରୋଥସେ କାଉଣ୍ଟି ଚାମ୍ପିଅନଶିପ’ ମୁକାବିଲା ଖେଳିବେ। ତାଙ୍କୁ କ୍ଲବ ପକ୍ଷରୁ ବିଦେଶୀ ଖାତା ଅନ୍ତର୍ଗତ ସାମିଲ କରାଯାଇଛି।
କୁଲଦୀପ ଆସନ୍ତା ଶୁକ୍ରବାର ଗ୍ଲେମର୍ଗନ୍ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ୱାନ୍ ଡେ’ କପ୍ ମ୍ୟାଚ୍ ପାଇଁ ସ୍କ୍ବାଡ୍ର ଅଂଶବିଶେଷ ହେବେ ଏବଂ ଏହି ମାଧ୍ୟମରେ ସେ ଇଂଲଣ୍ଡ ଘରୋଇ କ୍ରିକେଟରେ ଡେବ୍ୟୁ କରିବେ। କୁଲଦୀପଙ୍କ କ୍ରିକେଟ କ୍ୟାରିୟରରେ କୌଣସି କାଉଣ୍ଟି କ୍ଲବ ପକ୍ଷରୁ ଖେଳିବାର ଏହା ପ୍ରଥମ ଅଭିଜ୍ଞତା ଅଟେ।
୧୨୧ଟି ଦିନିକିଆ ଅନ୍ତର୍ଗତ ମ୍ୟାଚ ଖେଳି ୧୯୪ଟି ଉଇକେଟ ହାସଲ କରିଥିବା ଏହି ଅଭିଜ୍ଞ ବାମହାତୀ ସ୍ପିନରଙ୍କ ଆଗମନ ୟର୍କଶାୟରର ବୋଲିଂ ଆକ୍ରମଣକୁ ଅଧିକ ଶକ୍ତିଶାଳୀ କରିବ। ଭାରତୀୟ ଦଳରେ ସୁଯୋଗ ନ ମିଳିବା ପରେ ଏବେ ୟର୍କଶାୟର କ୍ଲବ ପାଇଁ ଖେଳିବା କୁଲଦୀପଙ୍କ କ୍ୟାରିୟର ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବୋଲି ବିବେଚନା କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।