ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

Jul 04, 2026 - 21:24
ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା ସହ ଅକାଳ ମୃତ୍ୟୁସଂଖ୍ୟା ବଢ଼ୁଥିବା ନେଇ ଗତ ଗୁରୁବାର ଗ୍ରାମବାସୀ କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ଓ ଉପଜିଲାପାଳଙ୍କୁ ସ୍ବାକ୍ଷର ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହାକୁ ଭିତ୍ତି କରି ଜିଲାପାଳଙ୍କ ନିର୍ଦ୍ଦେଶ ଓ ଅବକାରୀ ଅଧୀକ୍ଷକ ରଞ୍ଜନ ନାୟକଙ୍କ ମାର୍ଗଦର୍ଶନରେ ଗଠିତ ଏକ ସ୍ବତନ୍ତ୍ର ମିଳିତ ଟିମ୍‌ ଶନିବାର ଦିନ ତଲନାଗୀ, ବାହାଡ଼ାଘାଟ, ବାଗବେଡ଼ା ଏବଂ ପୁରୁନାପଦର ଗ୍ରାମରେ ବଡ଼ଧରଣର ଚଢ଼ାଉ କରିଛି।
ଚଢ଼ାଉ ପୂର୍ବରୁ ଅବକାରୀ ଅଧିକାରୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ଏକ ମଦ ବିରୋଧୀ ସଚେତନତା ରାଲି କରାଯାଇଥିଲା। ଏହି ରାଲି ସହ ପ୍ରଶାସନିକ ଟିମ ସିଧାସଳଖ ମଦ ଆଡ୍ଡାଗୁଡ଼ିକରେ ପଶି ୩୦୦୦ କେଜି ମହୁଲ ପୋଚ ଏବଂ ୩୦ ଲିଟର ଚୋରା ହାତରନ୍ଧା ଦେଶୀ ମଦ ଜବତ କରିବା ସହ ବହୁ ସଂଖ୍ୟକ ଡ୍ରମ ଓ ହାଣ୍ଡି ଭାଙ୍ଗି ନଷ୍ଟ କରିଛି।
ଏହି ଅଭିଯାନରେ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବାହାଡ଼ାଘାଟ ଗ୍ରାମର ମୁଖ୍ୟ ଅଭିଯୁକ୍ତ ଧନୁର୍ଜୟ ହରିଜନଙ୍କ ପାଖରୁ ସର୍ବାଧିକ ୨୦୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ ଜବତ ହୋଇଥିବା ବେଳେ ତଲନାଗୀ ଗ୍ରାମର ସନ୍ନ୍ୟାସୀ ହରିଜନ, ସୋମନାଥ ହରିଜନ ଏବଂ ସତ୍ୟଭାମା ବିଷୋୟୀଙ୍କ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଛି।
ଉକ୍ତ ମିଳିତ ଚଢ଼ାଉରେ ମୋବାଇଲ ୟୁନିଟ ପ୍ରାଦେଶିକ ନିରୀକ୍ଷକ ବିଜୟ ଭୂଷଣ ନାୟକ, ଥୁଆମୂଳ ରାମପୁର ଅବକାରୀ ଥାନା ଅଧିକାରୀ ସରୋଜ କାତା, କୋକସରା ଅଧିକାରୀ ଗୁପ୍ତେଶ୍ୱର ପଟେଲ, ଜୟପାଟଣା ଅଧିକାରୀ ସୁରେଶ ଚନ୍ଦ୍ର ଭୋଇଙ୍କ ସମେତ କର୍ମଚାରୀ ରମାକାନ୍ତ ବାରିକ, ପୃଥ୍ବୀରାଜ ବାଗ ଓ ଦୀପାଳି ଗୁଆ ପ୍ରମୁଖ ସାମିଲ ଥିଲେ। ପ୍ରଶାସନର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳରେ ସନ୍ତୋଷ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

The post ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା appeared first on Dharitri Odia News.