ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

Jul 09, 2026 - 11:41
ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ସମଗ୍ର କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି। ଦୀର୍ଘ ଦିନ ଧରି ଗମ୍ଭୀର ରୋଗ ସହ ଲଢ଼ୁଥିବା ଶାପୁର ମାତ୍ର ୩୮ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।

ଗତ ଜୁଲାଇ ୭ ତାରିଖରେ ଭାରତର ଦିଲ୍ଲୀ-ଏନସିଆର (Delhi-NCR) ର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ‘ଇମ୍ୟୁନ ସିଷ୍ଟମ’ (ରୋଗ ପ୍ରତିରୋଧକ ଶକ୍ତି) ଜନିତ ଏକ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ। ଜୁଲାଇ ୮ ତାରିଖ ବୁଧବାର ଶାପୁରଙ୍କର ୩୯ତମ ଜନ୍ମଦିନ ଥିଲା, କିନ୍ତୁ ଏହାର ଠିକ ଦିନକ ପୂର୍ବରୁ ସେ ଦୁନିଆକୁ ଅଲବିଦା କହିଦେଇଥିଲେ। ବୁଧବାର ତାଙ୍କ ଜନ୍ମଦିନରେ ହିଁ ତାଙ୍କ ମୃତଦେହ କାବୁଲ ଏୟାରପୋର୍ଟରେ ପହଞ୍ଚିଥିଲା।

ଶାପୁର ଜାଦ୍ରାନଙ୍କ ପାର୍ଥିବ ଶରୀର ଯେତେବେଳେ କାବୁଲ ବିମାନବନ୍ଦରରେ ପହଞ୍ଚିଲା, ସେଠାରେ ଏକ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀ, ପରିବାର ଲୋକଙ୍କ ସହ ଷ୍ଟାର କ୍ରିକେଟର ରଶିଦ ଖାନ, ମହମ୍ମଦ ନବୀଙ୍କ ଭଳି ଅନେକ ବର୍ତ୍ତମାନ ଓ ପୂର୍ବତନ ଖେଳାଳି ସେଠାରେ ଉପସ୍ଥିତ ଥିଲେ। ନିଜର ପୁରୁଣା ସାଥୀଙ୍କୁ ଏଭଳି ଅବସ୍ଥାରେ ଦେଖି ଖେଳାଳିମାନେ ନିଜ କୋହ ସମ୍ଭାଳି ପାରିନଥିଲେ। ଷ୍ଟାର ସ୍ପିନର ରଶିଦ ଖାନଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ପୂର୍ବତନ ଅଧିନାୟକ ମହମ୍ମଦ ନବୀ ମଧ୍ୟ ବେଶ ଭାବୁକ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା।

୧୯୮୭ ଜୁଲାଇ ୮ରେ ଆଫଗାନିସ୍ତାନର ଲୋଗର ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଶାପୁର ଜାଦ୍ରନ ନିଜର ଲମ୍ବା ଚେହେରା, ଲମ୍ବା କେଶ ଏବଂ ଜବରଦସ୍ତ ଦ୍ରୁତ ବୋଲିଂ ପାଇଁ ବେଶ ଜଣାଶୁଣା ଥିଲେ। ଆଫଗାନିସ୍ତାନ କ୍ରିକେଟକୁ ଆଗକୁ ନେବାରେ ତାଙ୍କର ବଡ଼ ଅବଦାନ ଥିଲା। ସେ ନିଜ କ୍ୟାରିୟର ମଧ୍ୟରେ ଭାରତର ବୀରେନ୍ଦ୍ର ସେହୱାଗ ଏବଂ ଗୌତମ ଗମ୍ଭୀରଙ୍କ ଭଳି ବିଶ୍ୱସ୍ତରୀୟ ଭେଟେରାନ ବ୍ୟାଟରଙ୍କୁ ଆଉଟ କରିଥିଲେ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।